କନକ ବ୍ୟୁରୋ: ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ରାଜୁକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିଥିବା ବେଳେ ଦୁଇ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ୫ ଦିନ ରିମାଣ୍ଡରେ ଆଣି ରାଜୁକୁ ମାରାଥନ ଜେରା କରାଯାଇଥିଲା । ଏବେ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆସିଲା ସିମବକ୍ସ ଅଭିଯୁକ୍ତ ରାଜୁ ମଣ୍ଡଳ । ଆଜିଠାରୁ ଆରମ୍ଭ ହେଲା ଦୁଇ ଦିନିଆ ରିମାଣ୍ଡ ।

 

ରିମାଣ୍ଡ ଅବଧି ବେଳେ ମୁଖ୍ୟ ଅଭିଯୁକ୍ତ ଅସାଦୁର ଜମାନକୁ ନେଇ ଅଧିକ ପଚରାଉଚରା ହେବ । ଢାକାରେ ରହି ଅସାଦୁର କିଭଳି ଭାରତର ଭୁବନେଶ୍ୱର, କଟକ ଓ ରାଞ୍ଚିରେ ନିଜର ସିଣ୍ଡିକେଟ ଚଳାଇଥିଲା ? କିଏ ତା ପାଇଁ ଟଙ୍କା ଖର୍ଚ୍ଚ କରୁଥିଲା? ଆର୍ଥିକ କାରବାର ପଛରେ ଆଉ କାହାର ହାତ ଅଛି କି ? ସିମବକ୍ସ ଜରିଆରେ ପାକିସ୍ତାନ ଓ ଚାଇନାର କାହା ପାଖକୁ ଯାଉଥିଲା କଲ ? ଏସବୁ କଥା ଜାଣିବା ପାଇଁ ରାଜୁକୁ ଅଧିକ ପଚରାଉଚରା କରାଯିବ । ଆବଶ୍ୟକ ସ୍ଥଳେ ସିବିଆଇ ଓ ଇଣ୍ଟରପୋଲ ତଦନ୍ତରେ ସହଯୋଗ କରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏନଆଇଏର ଦୁଇ ଜଣିଆ ଟିମ୍ ରାଜୁକୁ ପଚରାଉଚରା କରିଛି । ସେପଟେ ଗତକାଲି ଅସାଦୁରର ଫଟୋ ଜାରି କରିଥିଲା କମିଶନରେଟ ପୋଲିସ ।

ଢାକାରେ ଏକ ସଫ୍ଟୱେର କମ୍ପାନୀ ଚଳାଉଥିଲା ଅସାଦୁର। ଫ୍ୟାସନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟରୁ ପାଠ ପଢ଼ିଥିଲା। ପୋଲିସ ହାତରେ ସିଡ଼ିଆର ରିପୋର୍ଟ ଲାଗିବା ପରେ ଗୋଟିଏ ପରେ ଗୋଟିଏ ଆତଙ୍କି ଲିଙ୍କ ନେଇ ଅଧିକ ଖୋଲତାଡ଼ କରୁଛି ପୋଲିସ ।