କନକ ବ୍ୟୁରୋ: ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ଅଧିକ କ୍ଷମତା ଦେବାକୁ ନେଇ ବିରୋଧ ବଢୁଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛି ବସ ଓ ଟ୍ରକ ମାଲିକ ସଂଘ । ଗାଡି ଯାଞ୍ଚ ପାଇଁ ପୁଲିସ ପାଖରେ ଏବେ ସୀମିତ କ୍ଷମତା ରହିଛି । ଯଦି ପୁଲିସ କ୍ଷମତା ବଢ଼େ ତାହେଲେ ଏହାର ଅପବ୍ୟବହାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ସଂଘ । 

Advertisment

ପରିବହନ ସଚବିଙ୍କୁ ପରିବହନ କମିସନର ଲେଖିଥିଲା ଚିଠି । ଏଥିରେ ଗାଡ଼ି ଯାଞ୍ଚକୁ ନେଇ ପୁଲିସର କ୍ଷମତାକୁ ବୃଦ୍ଧି କରିବାକୁ କୁହାଯାଇଛି । ପରିବହନ ବିଭାଗ ପାଖରେ ଥିବା ଅଧିକ କ୍ଷମତାକୁ ବି ପୁଲିସକୁ ଦେବାକୁ କହିଛନ୍ତି କମିସନର । ପୂର୍ବରୁ  ମଦ ପିଇ ଗାଡ଼ି ଚଳାଇବା, ହେଲମେଟ୍ ନପିନ୍ଧିବା, ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ଜରିମାନା ଓ ସିଟ୍‌ବେଲ୍ଟ ନପିନ୍ଧିଲେ ଜରିମାନା ଆଦାୟ କରିବା କ୍ଷମତା ପୁଲିସ ପାଖରେ ଅଛି । ଯଦି ପରିବହନ ସଚିବ କମିସନରଙ୍କ ଚିଠିକୁ ଗ୍ରହଣ କରନ୍ତି ତାହେଲେ ପୁଲିସକୁ ଅଧିକ ଗାଡ଼ି ଯାଞ୍ଚ କ୍ଷମତା ମିଳିବ । ଆଉ ଏହାକୁ ବିରୋଧ କରିଛି ଘରୋଇ ଟ୍ରକ ଓ ବସ ମାଲିକ ସଂଘ । ଆଉ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛି । 

କ୍ଷମତା ବୃଦ୍ଧି ହେଲେ ପୁଲିସ ଟ୍ରକ୍‌ ଓ ବସ୍‌ର କାଗଜପତ୍ର ଯାଞ୍ଚ, ଓଭରଲୋଡିଂ, ଗାଡ଼ିର ଫିଟ୍‌ନେସ୍‌, ବେପରୁଆ ଗାଡ଼ିଚାଳନା କଲେ ଜରିମାନା ଆଦାୟ କରିବା ଭଳି କ୍ଷମତା ପାଇବ । ଦୁର୍ଘଟଣା କମାଇବା ପାଇଁ ଏହା ଜରୁରି ବୋଲି ଚିଠିରେ ଦର୍ଶାଇଛନ୍ତି ପରିବହନ କମିସନର । ସେପଟେ ଘରୋଇ ବସ ଓ ଟ୍ରକ ମାଲିକ ଆଶଙ୍କା କରୁଛି, ଗାଡ଼ି ଯାଞ୍ଚ କ୍ଷମତା ମିଳିଗଲେ ପୁଲିସ ଏହାର ଅପବ୍ୟବହାର କରିପାରେ । ଗାଡ଼ିମାଲିକ ଓ ଯାତ୍ରୀ ହଇରାଣ ହେବେ । ଦୁର୍ନୀତି ବଢ଼ିବ ଓ ସରକାର ବଦନାମ ହେବେ । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହେଲେ ଆନ୍ଦୋଳନ କରିବାକୁ ଧମକ ଦେଇଛି ଘରୋଇ ବସ ଓ ଟ୍ରକ ମାଲିକ ସଂଘ । 

ଟ୍ରକ୍‌ ଓ ବସ୍‌ର କାଗଜପତ୍ର ଯାଞ୍ଚ, ଓଭରଲୋଡିଂ, ଗାଡିର ଫିଟ୍‌ନେସ୍‌ ଯାଞ୍ଚ ଭଳି କ୍ଷମତା ପୁଲିସ ପାଖରେ ଆଗରୁ ରହିଥିଲା । କିନ୍ତୁ ୧୯୮୮ ମସିହା ମୋଟରଯାନ ଆଇନ ଅନୁସାରେ ଗାଡ଼ି ଯାଞ୍ଚ ପାଇଁ ପୁଲିସକୁ ସୀମିତ କ୍ଷମତା ଦିଆଯାଇଥିଲା ।