କନକ ବ୍ୟୁରୋ: ବିଜୁଳି କଟିଲେ ମୋବାଇଲ ଟର୍ଚ୍ଚରେ ଚାଲୁଛି ଥାନା । କିଟିମିଟ ଅନ୍ଧାରରେ ଚଳୁଛନ୍ତି ଥାନା କର୍ମଚାରୀ ଓ ଥାନାକୁ ଆସୁଥିବା ସାଧାରଣ ଜନତା । ଅନ୍ୟପଟେ ଅତିରିକ୍ତ ଏସପି କହୁଛନ୍ତି ଆମ ପାଖରେ ଏନେଇ କୌଣସି ଖବର ନାହିଁ । ପୁରୀ ଅସ୍ତରଙ୍ଗ ଥାନାରୁ ଆସିଛି ଏହି ଚିତ୍ର ।
ପ୍ରତ୍ୟେକ ଥାନାକୁ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ଏହି ବ୍ୟବସ୍ଥାରୁ ବଞ୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା । ଯଦି କୌଣସି କାରଣରୁ ବିଦ୍ୟୁତ ଚାଲିଯାଏ ତେବେ ପୁରା ଥାନା ଅନ୍ଧାର । ପୁଲିସ କର୍ମଚାରୀମାନେ ମୋବାଇଲ ଫ୍ଳାସ୍ ଲାଇଟରେ କାମ କରୁଛନ୍ତି । ସାଧାରଣ ଲୋକ ବି ଅଭିଯୋଗ ପାଇଁ ଥାନାକୁ ଆସିଲେ ମୋବାଇଲ ଆଲୁଅରେ ଯିବା ଆସିବା କରୁଛନ୍ତି । ଯାହା ଫଳରେ ଥାନାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜୁଳି ନଥିବା ସମୟରେ କେହି ଅଭିଯୁକ୍ତ ମଧ୍ୟ ଖସି ପଳାଇଯିବାର ସମ୍ଭାବନା ରହିଛି ।
ଏହି ଥାନା ଉପରେ ଅସ୍ତରଙ୍ଗର ୧୫ଟି ପଞ୍ଚାୟତର ଆଇନ ଶୃଙ୍ଖଳା ପରିସ୍ଥିତି ନିର୍ଭର କରୁଛି । ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଥାନାର ନୂତନ ଗୃହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ହେଲେ ଉଦଘାଟନର ୨ମାସ ନପୂରୁଣୁ ଥାନାରେ ବିଜୁଳି ଅବ୍ୟବସ୍ଥା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଏନେଇ ଅବଗତ ନଥିବା କହିଛନ୍ତି ପୁରୀ ଅତିରିକ୍ତ ଏସପି ।
ସରକାରଙ୍କ ତରଫରୁ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଥାନାକୁ ଡିଜିଟାଲାଇଜେସନ କରାଯାଇଛି । ଥାନାରେ ଅନଲାଇନ ପଞ୍ଜୀକରଣ କରାଯିବା ସହିତ ଅପରାଧ ନିୟନ୍ତ୍ରଣ ପାଇଁ ଅନେକ ଟେକ୍ନୋଲୋଜି ବ୍ୟବହାର ହେଉଛି । ହେଲେ ଏସବୁ ସେବା କାର୍ୟ୍ୟକାରୀ କରିବା ପାଇଁ ଆବଶ୍ୟକ ରହିଛି ବିଜୁଳି । ତେଣୁ ଅସ୍ତରଙ୍ଗ ଥାନାର ବିଜୁଳି ଜନିତ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।