କନକ ବ୍ୟୁରୋ : ଗାଡ଼ି ଛାଡି ଦେଲେ ଥାନା ବାବୁ, ଦରମା ବନ୍ଦ କଲେ ଜିଲ୍ଲାପାଳ । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଅପବ୍ୟବହାର କରି ଦରମା ବନ୍ଦ ଓ କାରଣ ଦର୍ଶାଅ ନୋଟିସ୍‌ର ସମ୍ମୁଖୀନ ହୋଇଛନ୍ତି । କାହା ସାହସରେ ଜିଲ୍ଲା ପ୍ରଶାସନକୁ ଅନ୍ଧାରରେ ରଖି ଜବତ ବାଲି ହାଇୱାକୁ ଛାଡି ଦେଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଞ୍ଚଳରେ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇଟି ବାଲି ଘାଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ବାଲି ଉତ୍ତୋଳନ ହେତୁ ଅନେକ ବାଲି ହାଇୱାକୁ ଜିଲ୍ଲା ପ୍ରଶାସନ ଜବତ ପରେ ପୁଲିସ ହେପାଜତରେ ରଖା ଯାଇଥିଲା । ଜବତ ବାଲି ହାଇୱା ଓ ବାଲି ଘାଟ ନିଲାମ ଧାରିଙ୍କ ବିରୋଧରେ ତିର୍ତୋଲ ଥାନାରେ ସେତେବେଳେ ଜିଲ୍ଲା ଖଣି ଅଧିକାରି ତରଫରୁ ଅଭିଯୋଗ ହୋଇଥିଲା । 

Advertisment

ଅନ୍ୟପଟରେ ଜବତ ହାଇୱା ଗାଡ଼ି ମାଲିକ ହାଇକୋର୍ଟ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି ଆବେଦନକାରୀଙ୍କୁ ୧୫ ଦିନ ଭିତରେ ତିର୍ତ୍ତୋଲ ଥାନା ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରି ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରିଥିଲେ । ଆବେଦନକାରୀଙ୍କ ଅନୁରୋଧକୁ ବିଚାରକୁ ନେଇ ବିଭାଗୀୟ ଅଧିକାରୀ ଏହା ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ । ହେଲେ ହାଇକୋର୍ଟଙ୍କ ଆଦେଶର ବିପରୀତ କାମ କରିଛନ୍ତି ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ । କିଛି ହାଇୱାକୁ ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରି ଦେଇଛନ୍ତି । ଯାହା ଉପରେ ଜିଲ୍ଲା ପ୍ରଶାସନ ଅବଗତ ନଥିଲା । ଯାହାକି ମାନ୍ୟବର ହାଇକୋର୍ଟଙ୍କ ପ୍ରତି ଖୋଲା ଉଲଙ୍ଘନ ବୋଲି ଜିଲ୍ଲାପାଳ ଜାରି କରିଥିବା କାରଣ ଦର୍ଶାଅ ନୋଟିସରେ ଜଣା ପଡ଼ିଛି । ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ୍ତ ସେଠୀ ନିଜ କ୍ଷମତାର ଦୁରୁପଯୋଗ ଓ ବେନିୟମ କାର୍ଯ୍ୟ ନେଇ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ଦରମା ବନ୍ଦ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆବଶ୍ୟକ ସ୍ଥଳେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ---ଓଡ଼ିଶାରେ ଗଠନ ହେବ ନୂଆ ଆଞ୍ଚଳିକ ଦଳ: ବଡ଼ ସଙ୍କେତ ଦେଲେ ମୋକିମ