BJP worker death Photograph: (kanakNews)
କନକ ବ୍ୟୁରୋ: କେଉଁଠି ଗାଡି ଚଢାଇ ଦେଉଛନ୍ତି ତ ପୁଣି କେଉଁଠି ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣୁଛନ୍ତି। ଆଉ କେତେବେଳେ, ମରଣଆନ୍ତକ ଆକ୍ରମଣ କରିବାକୁ ବି ପଛାଉ ନାହାଁନ୍ତି। ବିଜେପି ନେତାଙ୍କୁ ଏଭଳି ଲାଗ ଲାଗ ଆକ୍ରମଣ ପରେ, ଓଡିଶା ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଆଉ ଏହାରି ଭିତରେ କଟା ଘାରେ ଚୁନ ଲଗାଇ ବିଜେପିକୁ ଘେରିଛି ବିଜେଡି। ଯେଉଁଠି ନେତା ସୁରକ୍ଷିତ ନୁହଁନ୍ତି ସେଠାରେ ସାଧାରଣ ଲୋକ ଯେ, କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି।
ବିଜେପି ନେତାଙ୍କ ସୁରକ୍ଷାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ। ସେ ସମ୍ୱଲପୁରରେ ଦୁଇ ଦୁଇ ଜଣ ବିଜେପି ନେତାଙ୍କୁ ହାଇୱା ଚଢାଇ ହତ୍ୟା ଘଟଣା ହେଉ କି ଅନୁଗୁଳରେ ବିଚ ରାସ୍ତାରେ ବିଜେପି ନେତାଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣା। ସବୁଠି ଜଳ ଜଳ ହୋଇ ଦିଶୁଛି ପୁଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ହାଇୱା ଡ୍ରାଇଭରର କାରନାମା ସିସିଟିଭିରେ କଏଦ ହେଲା। ଛାତି ଥରାଇ ଦେଲା ଭଳି ଚିତ୍ର ସମସ୍ତେ ଦେଖିଲେ। ଅଭିଯୁକ୍ତ ଗିରଫ ବି ହେଲା। ହେଲେ ସମ୍ୱଲପୁର ପୁଲିସ ସବୁ ସତକୁ ଲୁଚେଇ ଦେଲା। କେଉଁ ଉଦ୍ଦେଶ୍ୟ ରଖି ପୁଲିସ ନାଲି ଫିତା ତଳେ ଫାଇଲ ବନ୍ଦ କଲା, ତାହା ଏବେବି ରହସ୍ୟ ବଢ଼ାଉଛି। କୁହାଯାଉଛି, ହତ୍ୟାକାରୀଙ୍କ ହାତ ଏତେ ଲମ୍ବା ଯେ ସମ୍ବଲପୁର ପୁଲିସ ତା’ର ଖୁଲାସା କରିବାକୁ ଡରୁଛି। ସେପଟେ ସମ୍ବଲପୁରରେ ବିଜେପି ନେତାଙ୍କୁ ହତ୍ୟାର କିଛିଦିନ ପରେ ଅନୁଗୁଳର ଏ ଅବସ୍ଥା। କେଉଁଠୁ ଏତେ ସାହସ ପାଉଛନ୍ତି ଅପରାଧୀ। ଆଉ କେମିତି ନୃଶଂସଙ୍କ ଭଳି ରକ୍ତର ହୋଲି ଖେଳୁଛନ୍ତି, ସେ ନେଇ ପ୍ରଶ୍ନ ଉଠାଇଛି ବିଜେଡି।
ଏଠାରେ ପ୍ରଶ୍ନ ଉଠୁଛି, ସତରେ କ’ଣ ବିଜେପି ସରକାରରେ ନିଜ ନେତା ସୁରକ୍ଷିତ ନୁହନ୍ତି? କାହିଁକି ବାରମ୍ବାର ରାଜନେତାଙ୍କୁ ହେଉଛି ହତ୍ୟା ଓ ଆକ୍ରମଣ? ତଦନ୍ତ ହେଉଛି, କିନ୍ତୁ ଅପରାଧୀଙ୍କୁ ଖସାଇବା ପାଇଁ ହେଉଛି କି ଷଡ଼ଯନ୍ତ୍ର?
Follow Us