କନକ ବ୍ୟୁରୋ: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୁଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଲୋକଙ୍କ ଅଗୋଚରରେ ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ ବାବୁ । ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଆସିଲା ଅଭିଯୋଗ । ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଉଥିବା ସଙ୍ଗିନ ଅଭିଯୋଗ ଆସିଛି ଜଗତସିଂହପୁର ସଦର ଥାନାରୁ । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ ଚାର୍ଜସିଟ୍‌ ପଠାଉନଥିବା ନେଇ ପୀଡ଼ିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ହେବାପରେ ଅଭିଯୁକ୍ତ ସବଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ପରେ ପୁଲିସ ବାବୁ ଫେରାର ହୋଇ ଯାଇଥିବା ଜଗତସିଂହପୁର ଏସ୍‌ପି ସୂଚନା ଦେଇଛନ୍ତି । ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରି କରିଥିବା ବେଳେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ବିବାହ କରିଥିଲେ । ବିବାହର କିଛିଦିନ ପରେ ସେ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି ।