କନକ ବ୍ୟୁରୋ : ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । ସିବିଆଇ ତଦନ୍ତ ପାଇଁ  ମିଳିଲା କେନ୍ଦ୍ର ସରକାରଙ୍କ ଅନୁମତି । ମମାଲାର ତଦନ୍ତ ପାଇଁ ଅକ୍ଟୋବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁପାରିଶ କରିଥିଲେ । ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ପୁଲିସ ସବ୍-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ହେବା ପରେ ରାଜ୍ୟ ସରକାରଙ୍କ କ୍ରାଇମ ବ୍ରାଞ୍ଚ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଥିଲା । ତେବେ ଏହି ତଦନ୍ତରୁ ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଥିବାର ସନ୍ଦେହ କରାଯାଉଛି । ଏଥିରେ ଆନ୍ତରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଆହୁରି ପଢ଼ନ୍ତୁ... ଦିଲ୍ଲୀ ବ୍ଲାଷ୍ଟ ପଛରେ ରହିଛି କି ପାକିସ୍ତାନର ହାତ ? ଗିରଫ ଶାହୀନ ଶାହିଦ୍‌ଙ୍କ ଅଛି ମସୁଦ ଅଜହରର ଭଉଣୀ ସହ ଲିଙ୍କ୍

ଏହି ଘଟଣାରେ ଦୁର୍ନୀତି ପାଇଁ ହୋଇଥିବା  ଉଦ୍ୟମ, ପ୍ରୋତ୍ସାହନ ଓ ଷଡଯନ୍ତ୍ର ସମ୍ପର୍କରେ ସିବିଆଇ ତଦନ୍ତ କରିବ । ଏହି ମାମଲାରେ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଗିରଫ ହୋଇଛି । ନେପାଳ ସୀମାରୁ କ୍ରାଇମବ୍ରାଞ୍ଚ ଶଙ୍କରକୁ ଗିରଫ କରିଥିଲା । ଶଙ୍କର ପୃଷ୍ଟିଙ୍କ ସହ ମାମଲାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦରୁ ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଛି । କିନ୍ତୁ ଏହା ପଛରେ କେଉଁ ବଡ଼ବଡିଆଙ୍କ ହାତ ରହିଛି ତାହା ଉପରେ ଅଧିକ ଖୋତଳାଡ କରିବ ସିବିଆଇ ।