କନକ ବ୍ୟୁରୋ : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍ ଏସଆଇ କେଳେଙ୍କାରୀକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ। ଡିଲ୍ ସରିଥିଲା, ହାତକୁ ଟଙ୍କା ଆସିଥିଲା । ଖାଲି ପ୍ରଶ୍ନପତ୍ର ମିଳିଥିଲେ ଖାକି ପୋଷାକ ପିନ୍ଧା ସ୍ବପ୍ନ ପୂରା ହୋଇଥାନ୍ତା। ଏଥିପାଇଁ ଅଗ୍ରୀମ ଟଙ୍କା ଦେଇଥିବା ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ । ହେଲେ କ୍ରାଇମବ୍ରାଞ୍ଚ ଏହାକୁ ଭଣ୍ଡୁର କରିଛି । ଆଉ ଯେଉଁ ସତ ସାମ୍ନାକୁ ଆସିଛି ତାହା ମୁଣ୍ଡ ଘୂରାଇଦେବ । ପରୀକ୍ଷାର୍ଥୀଙ୍କ ପିଛା ୨୫ ଲକ୍ଷର ଡିଲ୍ ସରିଥିଲା । ଅଗ୍ରୀମ ବାବଦକୁ ୧୦ ଲକ୍ଷ ନେଇଥିଲେ ଦଲାଲ । ଚାକିରି ପରେ ନେଇଥାନ୍ତେ ବଳକା ୧୫ ଲକ୍ଷ ଟଙ୍କା । କ୍ରାଇମବ୍ରାଞ୍ଚର ତନାଘନା ପରେ କେଳେଙ୍କାରୀରେ ସମ୍ପୃକ୍ତ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ୧୨ ଜଣ ଦଲାଲ ଓ ୧୧୪ ପରୀକ୍ଷାର୍ଥୀ ରହିଛନ୍ତି ।
ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କାରୀ ଉପରୁ ପରଦା ହଟିବା ପରେ ଏହାକୁ ବାତିଲ କରାଯାଇଛି । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଏସଆଇ ପରୀକ୍ଷା ଜାଲିଆତିରେ ସରକାରଙ୍କ ସମ୍ପୃକ୍ତିର ଗନ୍ଧ ବାରିଛି ବିଜେଡି । କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବି କରି ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ । ଯାହାର ଜବାବ ରଖି ବିଜେପି କହିଛି, ପୂର୍ବ ସରକାରରେ ଚାକିରି ବିକ୍ରି ହେଉଥିଲା । ନୂଆ ସରକାର ଦୋଷୀଙ୍କୁ ଧରୁଛି ।
ଏସଆଇ ପରୀକ୍ଷାରେ କେଳେଙ୍କାରୀ ନୂଆ ନୁହେଁ । ପୂର୍ବରୁ ମଧ୍ୟ ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ ଆସିଛି । ହେଲେ ପ୍ରଶ୍ନ ଉଠୁଛି, ଦଲାଲଙ୍କ ପାଖକୁ କେମିତି ଯାଉଛି ପ୍ରଶ୍ନପତ୍ର? କେଳେଙ୍କାରୀ ପଛର କାର୍ପଟଦାର କିଏ?