କନକ ବ୍ୟୁରୋ : ଅଧ୍ୟାପକଙ୍କ ନିର୍ଯାତନା ନେଇ ବାରମ୍ବାର ଅଭିଯୋଗ କରୁଥିଲେ ଏଫ୍ଏମ୍ କଲେଜ ଛାତ୍ରୀ । କେହି କିଛି ଶୁଣିନଥିଲେ ଓ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । କଲେଜ ଅଧ୍ୟାପକଙ୍କ ଅବହେଳା ପରେ, ଏବେ ପୁଲିସର ଭୂମିକା ସାମ୍ନାକୁ ଆସିଛି । ଅଭିଯୋଗ ପାଇବା ପରେ ବି କେବଳ ଜେନେରାଲ ଡାଏରି କରି ଚୁପ୍ ବସିପଡ଼ିଥିଲେ ସହଦେବଖୁଣ୍ଟା ଆଇଆଇସି ।
ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ହୋଇଥିବା ଜେନେରାଲ ଡାଏରି ପୁଲିସର ଭୂମିକା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଏହି ଜିଡିରୁ ଜଣାପଡୁଛି ଯେ ଏଫ୍ଏମ୍ କଲେଜ ଛାତ୍ରୀ ଆଣିଥିବା ଅଭିଯୋଗ ସଂପର୍କରେ ଜାଣିଥିଲା ପୁଲିସ । ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ କଲେଜରେ ହଙ୍ଗାମା କରିଥିଲେ ଏବିଭିପି ସଦସ୍ୟ । ଏ ବାବଦରେ ଅଧ୍ୟକ୍ଷଙ୍କଠାରୁ ସୂଚନା ପାଇ କଲେଜରେ ପହଞ୍ଚିଥିଲେ ଥାନା ଅଧିକାରୀ । ଆଉ ଅଭିଯୋଗ ଆଧାରରେ ଏକ ଜେନେରାଲ ଡାଏରି କରିଥିଲେ ।
ଜେନେରାଲ ଡାଏରିରେ ଅଛି କ’ଣ ? ଛାତ୍ରୀଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଉଥିଲେ ଅଧ୍ୟାପକ ସମୀର ସାହୁ । କଥା ନମାନିଲେ ପରୀକ୍ଷାରେ ଫେଲ୍ କରିବାକୁ ଧମକାଉଥିଲେ ଅଧ୍ୟାପକ । ପ୍ରତିବଦଳରେ ‘ଫେଭର୍’ ମାଗୁଥିଲେ ବୋଲି ଜେନେରାଲ ଡାଏରିରେ ଉଲ୍ଲେଖ ହୋଇଛି ।
ଛାତ୍ରୀ ଜଣକ କଲେଜର କିଛି ଅଧ୍ୟାପକଙ୍କୁ ନେଇ ସ୍ୱତନ୍ତ୍ର କମିଟି ଜରିଆରେ ତଦନ୍ତ ଦାବି କରିଥିବା ଜେନେରାଲ ଡାଏରିରେ ଉଲ୍ଲେଖ ଅଛି । ଏନେଇ ଲିଖିତ ଭାବେ ଜଣାଇଥିଲେ ଏବିଭିପି ସଂଗଠନର ସଦସ୍ୟ । ୫ ଦିନରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ କଲେଜ ଅଧ୍ୟକ୍ଷ । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି- ଏଭଳି ଏକ ସମ୍ବେଦନଶୀଳ ମାମଲାରେ କାହିଁକି ଜେନେରାଲ ଡାଏରି କରି ଚୁପ୍ ବସିପଡ଼ିଲା ପୁଲିସ ? କାହା ଚାପରେ ମାମଲା ରୁଜୁ କରିନଥିଲେ ଥାନା ଅଧିକାରୀ ? ୫ ଦିନରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେଲା ନା ନାହିଁ ଯାଞ୍ଚ୍ କରିଥିଲେ କି ? ମାମଲା ଚାପି ଦେବାକୁ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ସହ ହାତ ମିଳାଇଥିଲେ କି ?
ଘଟଣା ପଦାକୁ ଆସିବା ପରେ କନକ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇଛନ୍ତି ପୁଲିସ ଡିଜି । ମହିଳା ବିରୋଧୀ ହିଂସା ଶାଖାର ଆଇଜିଏସ୍ ସାଇନି ମାମଲାର ତଦନ୍ତ କରୁଥିବା ସେ କହିଛନ୍ତି । ଏପରିକି ସହଦେବଖୁଣ୍ଟା ଥାନାରେ ହୋଇଥିବା ଜେନେରାଲ ଡାଏରି ସଂପର୍କରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଜିପି ।