କନକବ୍ୟୁରୋ :  ଓଡ଼ିଶା ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଦୁର୍ଗାପୁର ପୁଲିସ ।  ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପଚରାଉଚୁରା କରିବ ।  ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରିଛି ପୁଲିସ୍ ।   ଦିନ ଗଡିବା ସହ ପଶ୍ଚିମବଂଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି ।  ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ବାନ୍ଧିବା ପରେ ବି ଛାତ୍ରୀଙ୍କ ସହ କଣ ଘଟିଥିଲା ତା ଉପରୁ ସମ୍ପୂର୍ଣ୍ଣ ପରଦା ଉଠାଇ ପାରିନି ଦୁର୍ଗାପୁର ପୁଲିସ୍ ।  ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

Advertisment

ଆଜି ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀକୁ ୭ଦିନିଆ ରିମାଣ୍ଡରେ ନେଇଛି ପୁଲିସ୍। ରିମାଣ୍ଡ ସମୟରେ ସମସ୍ତ ଅଭିଯୁକ୍ତଙ୍କର ମିଛ ଧରା ପରୀକ୍ଷା କରାଯିବ ।  ତାପରେ ପୂରା ଘଟଣା ସାମନାକୁ ଆସିବ।  ପୀଡିତା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଯେତେ ଶୀଘ୍ର ଡାକ୍ତର ଡିସଚାର୍ଜ କରିଦେବେ ସେତେଶୀଘ୍ର ଝିଅକୁ ଘରକୁ ନେଇ ଯିବେ ବୋଲି କହିଛନ୍ତି ବାପା ।

ଅନ୍ୟପଟେ ଏହି ଘଟଣାକୁ ନେଇ ମମତାଙ୍କ ବୟାନ ଓ ତାଙ୍କ ଦଳର ନେତାଙ୍କ ପ୍ରତିକ୍ରିୟାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି। ଓଡ଼ିଶା ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯାଉଛି ।   ଏହା ମମତାଙ୍କ ଦୋମୁହାଁ ନୀତି ବୋଲି କହି କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁକୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଇଛି ।  ଏଥିସହ ଦୁଷ୍କର୍ମ ସମୟରେ ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କ ଉପସ୍ଥିତି ପ୍ରମାଣିତ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି। କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପ୍ରଶ୍ନ ଉଠୁଛି, ପୀଡିତାଙ୍କୁ ନ୍ୟାୟ ମିଳିବ ତ?