କନକ ବ୍ୟୁରୋ: ଘର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଗୋଟିଏ ପଟେ ନ୍ୟାୟ ପାଇଁ ପତ୍ନୀ ମହିଳା ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଓଏଏସ୍ ସ୍ବାମୀ କିନ୍ତୁ ଧରାଛୁଆଁ ଦେଉନାହାଁନ୍ତି । ଆମେ କହୁଛୁ ସାର୍ଥକ ସୌରଭ ମହାପାତ୍ରଙ୍କ କଥା । ପତ୍ନୀ ଅର୍ଚ୍ଚନା ଦାଶଙ୍କ ଅଭିଯୋଗ ପରେ ୧୮୦ ବିଏନ୍‌ଏସ୍‌ରେ ବୟାନ ରେକର୍ଡ କରିଛି ଭୁବନେଶ୍ବର ମହିଳା ଥାନା ପୁଲିସ । ବାହାଘରଠୁ ଆରମ୍ଭ କରି ସନ୍ତାନ ହେବ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ କ’ଣ ଘଟିଥିଲା ସେନେଇ ପଚାରିଛି ପୁଲିସ ।

Advertisment

ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା, ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି, ସେନେଇ ପଚାରି ବୁଝିଛି ପୁଲିସ । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସେପଟେ ଓଏଏସ୍ ଅଧିକାରୀ କିନ୍ତୁ ମୁହଁ ଖୋଲିବାକୁ ନାରାଜ । ଯାହା କହିବି ଥାନାରେ କହିବି, ନୋଟିସ୍ ଆସିଲେ ହାଜର ହେବି, ଏହା ମୋର ପାରିବାରିକ କଥା କହି ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ସାର୍ଥକ ସୌରଭ ମହାପାତ୍ର । ଏପଟେ ପୁଅ ଜନ୍ମର ଦୁଇ ଦିନ ପରେ ସାର୍ଥକ କାହିଁକି ଲୁଚି ପଳାଇଲେ ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି । ଏବେ ଲୁଚିବା ନୁହେଁ, ଘଟଣାକୁ ସାମ୍ନା କରିବାର ସମୟ ଆସିଛି ବୋଲି କହିଛନ୍ତି ଅର୍ଚ୍ଚନା ।

ଅଭିଯୋଗର ୨୪ ଘଣ୍ଟା ପରେ ବି ଓଏଏସ୍ ଅଫିସର ଥାନାରେ ହାଜର ହେଉନଥିବା ନେଇ ପ୍ରଶ୍ନ ଉଠିଛି । ଜଣେ ସାଧାରଣ ବ୍ୟକ୍ତି ବିରୋଧରେ ଏଭଳି ଅଭିଯୋଗ ଥିଲେ ହୁଏତ ପୁଲିସ ତାଙ୍କୁ ଘରୁ ଟେକି ଆଣିଥାନ୍ତା । ବାବୁଙ୍କ ପାଇଁ ବିଏନ୍‌ଏସ୍‌ରେ ଅଲଗା ନିୟମ ରହିଛି କି?