କନକ ବ୍ୟୁରୋ : ଚାଲିଛି ପୁଲିସର ଅପରେସନ ଅଗ୍ନି । ପାର୍ବଣ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଲାଣି କୋଟି କୋଟି ଟଙ୍କାର ବେଆଇନ ବାଣ । ପ୍ରଶାସନର ଆଖି ଆଢୁଆଳରେ କେଉଁଠି ତିଆରି ଚାଲିଥିଲା ବାଣ ତ ପୁଣି କେଉଁଠି ବେଆଇନ୍ ଭାବେ ଅସୁରକ୍ଷିତ ସ୍ଥାନରେ ବାଣ ଗଛିତ ରଖୁଛନ୍ତି ବେପାରୀ । ଜଗତସିଂହପୁରରୁ ଜଳେଶ୍ୱର, ଭଦ୍ରକରୁ ବାଲିଗୁଡ଼ା ସବୁଆଡ଼େ ଚଢ଼ାଉ କରୁଛି ପୁଲିସ । ଜଗତସିଂହପୁର ପୁଲିସ ଜିଲ୍ଲାର ବିଭିନ୍ନ ବ୍ଲକରେ ରେଡ୍ କରି ବେଆଇନ ବାଣ ଓ ବିସ୍ପୋରକ ଜବତ କରିଛି । ବିରିଡି, କୁଜଙ୍ଗ, ଜଗତସିଂହପୁର ଓ ରଘୁନାଥପୁର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉରୁ ବିପୁଳ ପରିମାଣର ସୁତୁଳି ବୋମା, ବାରୁଦ, ରଞ୍ଜକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଦୁଇ ଜଣ ଗିରଫ ହୋଇଥିବା ବେଳେ ୫ ଜଣ ଫେରାର ହୋଇଯାଇଛନ୍ତି ।
ସେପଟେ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଚଢ଼ାଉ ଜାରି ରହିଛି । ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ବେପାରୀ ଅଣ୍ଟା ଭିଡ଼ିଛନ୍ତି । ଏକଥା ଜାଣି ଛାପା ମାରିଛି ପୁଲିସ । ସେପଟେ ଛତ୍ରପୁର ଏନ୍ଏସିର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ପୁଲିସ ।