କନକ ବ୍ୟୁରୋ : ସୁନ୍ଦରଗଡ଼ କୋଇଡ଼ାରେ ଦୁବୃତ୍ତଙ୍କ ଆତଙ୍କରାଜ । ବଡ଼ଜଲ ସ୍କୁଲକୁ କବଜା କରି ରଖିବା ସହ ପୁଲିସ ଉପରକୁ ତୀର ମାଡ଼ । ଘଟଣାସ୍ଥଳରେ ଦୁର୍ବୃତ୍ତ ଓ ପୁଲିସ ମଧ୍ୟରେ ଚାଲିଛି ଛକାପଞ୍ଝା । ପ୍ରତି ୧୦ ମିନିଟିରେ ପୁଲିସ ଉପରକୁ ତୀରମାଡ଼ କରୁଛି ଦୁର୍ବୃତ୍ତ  । ଆକ୍ରମଣରେ ମହୁଲପଦା ଥାନାର ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ ହୋଇଛନ୍ତି । ସୁରେଶଙ୍କ ହାତରେ ତୀର ବାଜିଥିବା ବେଳେ ବଣେଇ ହସ୍ପିଟାଲରେ ତାଙ୍କର  ଚିକିତ୍ସା କରାଯାଇଛି । ଦୁଇ ଦିନ ତଳେ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଦୁର୍ବୃତ୍ତ ଜଣକ ଶିକ୍ଷକଙ୍କୁ ପଥରରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ଭୟରେ ସ୍କୁଲ ଛାଡ଼ି ପଳାଇଥିଲେ । ଦୁର୍ବୃତ୍ତ ଭୟରେ ଅନ୍ୟ ସ୍ଥାନରେ ପିଲାଙ୍କ ପାଠପଢ଼ା ଚାଲିଛି । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଆଜି ମହୁଲପଦା ଥାନାର ଆଇଆଇସି ଘଟଣାସ୍ଥଳରେ ପହଁଚିଥିଲେ । ଦୁର୍ବୃତ୍ତ  ଜଣକ ପ୍ରଥମେ ବାଟୁଳିରେ  ପୁଲିସକୁ ଆକ୍ରମଣ କରିଥିଲା । ପରେ ୭ଟି ତୀରମାଡ଼ କରିଥିଲା । ଏଥିରେ ଆଇଆଇସି ଆହତ ହୋଇଥିଲେ । ଏହି ଘଟଣା ପରେ ଏସଡିପିଓ, ଅଗ୍ନିଶମ ବାହିନୀ ଓ ଡଗ୍‌ ସ୍କ୍ବାଡ୍‌ ପହଁଚି ଦୁବୃତ୍ତକୁ କାବୁ କରିବାକୁ ଚେଷ୍ଟା ଚଳାଇଛନ୍ତି । ଘଟଣାସ୍ଥଳରୁ ୧୩ଟି ତୀର ମଧ୍ୟ ଜବତ କରାଯାଇଛି । ତେବେ ଦୁବୃତ୍ତ ଜଣକ କିଏ ? କାହିଁକି ସ୍କୁଲକୁ କବଜା କରି ରଖିଛି ଏବଂ ପୁଲିସକୁ ତୀରମାଡ଼ କରୁଛି ତାହା ଜଣାପଡ଼ି ନାହିଁ ।