କନକ ବ୍ୟୁରୋ: ବେଙ୍ଗାଲୁରୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଞ୍ଜନ ରାୟ । ଘର ଭଦ୍ରକ ଧୁଷୁରୀ ଅଞ୍ଚଳରେ ବୋଲି ଜଣାପଡିବା ପରେ ସାରା ଓଡ଼ିଶା ହୁଲୁସ୍ତୁଲ । କାରଣ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ୫୯ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଥିଲା ମୁକ୍ତି ରଞ୍ଜନ । ପରେ ସେଠାରୁ ଫେରାର ହୋଇଯାଇଥିଲା। ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲା ଆଉ ବୁଧବାର କରିଥିଲା ଆତ୍ମହତ୍ୟା । ବୁଧବାର ସକାଳେ କୁଳେଇପଦା ଶ୍ମଶାନ ନିକଟ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୁକ୍ତିରଞ୍ଜନର ମୃତଦେହ । ଆଉ ଘଟଣା ସ୍ଥଳରୁ ପୋଲିସକୁ ମିଳିଥିଲା ଲ୍ୟାପଟପ୍ ବ୍ୟାଗ୍ । ଏହି ବ୍ୟାଗ୍ରେ ଥିଲା ମୁକ୍ତିରଞ୍ଜନର ହାତଲେଖା ଡାଏରୀ । ଏଥିରେ ସେ ହତ୍ୟା ସଂପର୍କରେ ସ୍ୱୀକାର କରିଥିବା ପୋଲିସ କହିଛି ।
ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲା, ତାକୁ ହିଁ ନିର୍ମମ ଭାବେ ହତ୍ୟା କରି ଛୁରୀରେ ଖଣ୍ଡ ଖଣ୍ଡ କରିଦେଲା ଅଭିଯୁକ୍ତ ମୁକ୍ତି ରଞ୍ଜନ । ମାତ୍ର ଏହା ପଛରେ କ’ଣ ରହିଛି କାରଣ? କ’ଣ ପାଇଁ ସେ ଏପରି ହିଂସ୍ର ହୋଇ ଉଠିଲା ଓ ନିଜ ପ୍ରେମିକାର ଜୀବନ ନେବାକୁ ପଛାଇଲା ନାହିଁ । ନିଜେ ଝୁଲି ପଡ଼ିବା ପୂର୍ବରୁ ସେ କାଳରାତିର ପ୍ରତିଟି ଘଟଣାକୁ ନିଜ ଭାଇ ଆଗରେ ବଖାଣିଥିଲା ମୁକ୍ତି ରଞ୍ଜନ ।
ମୁକ୍ତି ରଞ୍ଜନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପ୍ରେମ ସମ୍ପର୍କରେ ଥିବା ମହାଲକ୍ଷ୍ମୀ ତାଙ୍କଠାରୁ ଟଙ୍କା, ସୁନା ସବୁ ଲୁଟି ନେଇଥିଲେ। ଏପରିକି ମୁକ୍ତିକୁ ବ୍ଲାକମେଲ କରୁଥିଲେ । ବିଭିନ୍ନ ଘଟଣାକୁ ନେଇ ଉଭୟଙ୍କ ଭିତରେ ବିବାଦ ଦେଖା ଦେଇଥିଲା। ଅନେକ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ମହାଲକ୍ଷ୍ମୀଙ୍କୁ ନେଇ କେରଳ ଯିବାକୁ ବାହାରିଥିଲା ମୁକ୍ତି ରଞ୍ଜନ। ହେଲେ ମୁକ୍ତି ବିରୋଧରେ ଅପହରଣ ଅଭିଯୋଗ ଆଣିଥିଲେ ମହାଲକ୍ଷ୍ମୀ, ଯାହାକୁ ନେଇ ସଂପର୍କ ଆହୁରି ବିଗିଡି ଯାଇଥିଲା ।
ଦୁହିଁଙ୍କ ଭିତରେ ଝଗଡ଼ା ବଢ଼ିବା ପରେ ମହାଲକ୍ଷ୍ମୀଙ୍କ ତଣ୍ଟିକୁ ଜୋରରେ ଧରି ନେଇଥିଲା ମୁକ୍ତି। ପରେ ଦେଖିଲା ବେଳକୁ ମହାଲକ୍ଷ୍ମୀଙ୍କ ମୃତ୍ୟୁ ହୋଇସାରିଥିଲା। ମୃତଦେହକୁ ବେଡସିଡ୍ରେ ଗୁଡ଼ାଇ ଫ୍ୟାନରେ ଟାଙ୍ଗି ଦେବାକୁ ଚେଷ୍ଟା କରିଥିଲା, ହେଲେ ସୁବିଧା ହୋଇନଥିଲା । ତେଣୁ ଛୁରୀରେ କାଟି ଫ୍ରିଜରେ ପୂରାଇ ଦେଇଥିଲା ବୋଲି କନକ ନ୍ୟୁଜକୁ କହିଛନ୍ତି ମୁକ୍ତି ରଞ୍ଜନର ଭାଇ । ସେଠାରୁ ପଳାଇ ଆସି ବ୍ରହ୍ମପୁରରେ ସାନ ଭାଇ ପାଖରେ ରହିଥିଲା ଅଭିଯୁକ୍ତ । ପୁରା କାହାଣୀ ଗୋଟି ଗୋଟି କରି କହିଥିଲା । ବେଙ୍ଗାଲୁରୁ ପୋଲିସ ସହ ମିଶି ଏବେ ସବୁ ଖିଅକୁ ଯୋଡୁଛି ଭଦ୍ରକ ପୋଲିସ ।