କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାର ପଛରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ସମ୍ପୃକ୍ତି ଧରାପଡିବା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ଏସ୍ପି । ଗଞ୍ଜେଇ ଚୋରା କାରବାରରେ ଲଗାମ କଷିବା ପାଇଁ, ଗୋଟିଏ ମାସକରେ ବଦଳିଛନ୍ତି ୧୬୩ ଜଣ ପୋଲିସ କର୍ମଚାରୀ । ପର୍ଯ୍ୟାୟକ୍ରମେ ବଦଳି ହୋଇଛନ୍ତି ୪ ଇନ୍ସପେକ୍ଟର, ୮ ଏସଆଇ, ୧୪ ଏଏସଆଇ, ୪ ସିଆଇ ହାବିଲଦାର, ୧୨ ହାବିଲଦାର, ୧୦୯ କନେଷ୍ଟବଲ ଏବଂ ୧୨ ଓଏପିଏଫ କର୍ମଚାରୀ। ଏମାନଙ୍କୁ ଜିଲ୍ଲାର ୬ଟି ଥାନାକୁ ଅଦଳବଦଳ କରାଯାଇଛି l
ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ କରାଯାଇଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଛି । ବୌଦ୍ଧ ଏସପି ରାହୁଲ ଗୋଏଲ ନୂତନ ଭାବେ ଜିଲ୍ଲାରେ ଯୋଗ ଦେବା ପରେ ଗଞ୍ଜେଇ ଚୋରାଚାଲାଣ ଓ କାରବାରରେ ସୁରକ୍ଷାକର୍ମୀଙ୍କ ଲିଙ୍କ ଅଭିଯୋଗର ଅନୁଧ୍ୟାନ କରିଥିଲେ । ଗତ ସପ୍ତାହରେ ୩ଜଣ ଆଇଆରବି ଯବାନ ଓ ଜଣେ ହୋମଗାର୍ଡ଼ ଗଞ୍ଜେଇ କାରବାରରେ ଧରାପଡି ଗିରଫ ହୋଇଥିଲେ ।
ବୌଦ୍ଧ ଜିଲ୍ଲାରେ ଗୋଟିଏ ମାସରେ ଏତେ ଜଣ ପୋଲିସ କର୍ମଚାରୀଙ୍କ ଅଦଳବଦଳ ହେବାରେ ଏହା ପ୍ରଥମ ଘଟଣା । ଏସପିଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ। ଏହା ଗଞ୍ଜେଇ ଚୋରା କାରବାର ରୋକିବାରେ ସହାୟକ ହେବ ବୋଲି ଆଶା ରଖିଛନ୍ତି । ତେବେ ନିଶା କାରବାର ରୋକିବାକୁ ଏସପିଙ୍କ ଏହି ପଦକ୍ଷେପ କେତେ ଫଳପ୍ରଦ ହେବ, ତାହା ଦେଖିବାକୁ ବାକି ରହିଲା ।