କନକ ବ୍ୟୁରୋ: ଭଦ୍ରକରେ କୋଇଲା ମାଫିଆଙ୍କ ରାଜ୍ । ବଟି ନେଇ ସହଯୋଗ କରୁଛି ପୁଲିସ । ଅଭିଯୋଗ କଲେ ଅପହରଣ ସହ ମାଡ଼ ମାରୁଛନ୍ତି ମାଫିଆ । ଏ ଗୁମର ଖୋଲିବା ପରେ ପଦାରେ ପଡ଼ିଛି ପୁଲିସର ଅସଲ ଚେହେରା । ସାବରଙ୍ଗ ଥାନା ଅଧିକାରୀଙ୍କ ମାଫିଆଙ୍କ ସହ ଲିଙ୍କ୍ ନେଇ ଅଭିଯୋଗ ପରେ ତଦନ୍ତ ପାଇଁ ଦୁଇ ଅଧିକାରୀଙ୍କୁ ପଠାଇଛନ୍ତି ବାଲେଶ୍ୱର ଡିଆଇଜି ।
ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ବାଲେଶ୍ୱର ଅତିରିକ୍ତ ଏସପି ଆଲୋକ ରଞ୍ଜନ ରାୟ । ଗତକାଲି ଇଚ୍ଛାପୁର ଅଞ୍ଚଳର ପ୍ରତାପ ବେହେରାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ ମାଫିଆ । ୭ ଘଣ୍ଟା ଅଟକ ରଖି ପ୍ରବଳ ମାଡ଼ ମାରିବା ପରେ ଗୁରୁତର ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ । ସ୍ବାମୀଙ୍କୁ ଉଦ୍ଧାର କରିବାକୁ ସାବରଙ୍ଗ ଥାନାକୁ ଯାଇଥିଲେ ପ୍ରତାପଙ୍କ ପତ୍ନୀ । କିନ୍ତୁ ମାଫିଆଙ୍କଠାରୁ ବଟି ନେଇ ଚୁପ୍ ବସିଥିଲେ ଥାନା ଅଧିକାରୀ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଥିଲେ । ଏନେଇ ଅତିରିକ୍ତ ଏସପିଙ୍କ ଦ୍ବାରସ୍ଥ ହେବା ପରେ ସତ ସାମ୍ନାକୁ ଆସିଛି । ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ବର ଡିଆଇଜି । ଏବେ ଥାନା ଅଧିକାରୀଙ୍କ ବିରୋଧରେ ଚାଲିବ ତଦନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/06/8jstobz2CfC55yalhp0h.jpg)