କନକ ବ୍ୟୁରୋ: ଭଦ୍ରକ ହିଂସା ଘଟଣାର ସ୍ଥିତି ସମୀକ୍ଷା କରିବାକୁ ଆଜି ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତ କରିଛନ୍ତି । ଧାମନଗର ଯାାଇ ଭଦ୍ରକ ଜିଲ୍ଲାପାଳ, ଏସପି ଓ ପୂର୍ବାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି । ଏବେ ଭଦ୍ରକ ସହର ଓ ଧାମନଗରରେ ସ୍ଥିତି କଣ ରହିଛି ସେ ସମ୍ପର୍କରେ ଆଲୋଚନା କରିଛନ୍ତି।
ଭଦ୍ରକ ହିଂସା ଘଟଣାରେ ଆଉ ୪ ଜଣଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ଭଦ୍ରକ ଓ ଧାମନଗରରୁ ମୋଟ ୨୨ ଜଣଙ୍କୁ ଗିରଫ କରାଯାଇଥିଲା। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି। ପୋଲିସ ପକ୍ଷରୁ ରାପିଡ୍ ଆକ୍ସନ ଫୋର୍ସ ସହ ୧୭ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏଁ କଟକଣା ମଧ୍ୟରେ ଦୋକାନବଜାର ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୌଣସି ସ୍ଥାନରେ ୨ରୁ ଅଧିକ ଲୋକ ଭିଡ଼ ନଜମାଇବା, ମିଟିଂ ଓ ରାଲି ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଦେଖି ଇଣ୍ଟରନେଟ ସେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି।