କନକ ବ୍ୟୁରୋ: ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ। ଭୁବନେଶ୍ୱର ଭରତପୁର ଥାନାରେ ସଂପୃକ୍ତ ଯୁବତୀଙ୍କୁ ବର୍ବରୋଚିତ ଆକ୍ରମଣ କରାଯାଇଥିବାର କିଛି ଫଟୋ ସାମ୍ନାକୁ ଆସିଛି। ପୋଲିସର ଅମାନୁଷିକ ମାଡ଼ରେ ଯୁବତୀ ଜଣକ ଗୁରୁତର ହୋଇଛନ୍ତି। ସେପଟେ ଏହି ଘଟଣାରେ ୫ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି।

ଭରତପୁର ଥାନା ପୋଲିସ, ଯୁବତୀଙ୍କୁ ବର୍ବରୋଚ୍ଚିତ ଆକ୍ରମଣ କରିଥିବା ନେଇ ପୋଷ୍ଟରେ ଦାବି କରାଯାଇଛି। ମେଜର ଗୁରୁବଂଶ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ୧୫ ତାରିଖ ଭୋରୁ ଥାନା ହାଜରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ପୋଲିସ ମାଡ଼ରେ ତାଙ୍କ ଓଠ ଫାଟି ଦାନ୍ତ ଭାଙ୍ଗିଯିବା ସହ, ପାଟିର ଜଅ ଡିସଲୋକେଟ୍‌ ହୋଇଯାଇଥିବା ନେଇ ମେଡିକାଲ ରିପୋର୍ଟରେ ଉଲ୍ଲେଖ ରହିଛି । କାନ୍ଧ ଓ ଛାତିର ଏକ୍ସ-ରେ ମଧ୍ୟ କରାଯାଇଛି। ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ, ଭୁବନେଶ୍ୱର ଭରତପୁର ଥାନା ପୋଲିସ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲେ, ତାକୁ ପ୍ରମାଣ କରୁଛି ଏହିସବୁ ଫଟୋ। 

ସେପଟେ ସେନା-ପୋଲିସ କଳି ଏବେ ଜଟିଳ ହେବାରେ ଲାଗିଛି। କାରଣ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୋଲିସ ବିରୋଧରେ ଛିଡ଼ା ହୋଇଛନ୍ତି ପୂର୍ବତନ ସେନା କର୍ମଚାରୀ। ପୋଲିସ ଭବନ ଆଗରେ ଶହ ଶହ ଅବସରପ୍ରାପ୍ତ ସେନା କର୍ମଚାରୀ ଏକାଠି ହେବା ସହ, ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କେବଳ ନିଲମ୍ବନ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୁରା ଘଟଣାକ୍ରମ ପୋଲିସ ବିଭାଗ ଉପରେ ଚାପ ବଢ଼ାଇବାରେ ଲାଗିଛି। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। 

୫ ପୋଲିସ ନିଲମ୍ୱିତ 
ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର
ସବଇନସ୍ପେକ୍ଟର ବୈଶାଳିନୀ ପଣ୍ଡା 
ମହିଳା ଏଏସଆଇ ସଲୀଳମୟୀ ସାହୁ 
ମହିଳା ଏଏସଆଇ ସାଗରିକା ରଥ
କନଷ୍ଟେବଳ ବଳରାମ ହାଁସଦା

କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ଦୀନକୃଷ୍ଣ ମିଶ୍ର, ଏଏସଆଇ ସଲୀଳମୟୀ ସାହୁ ଓ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। ସେପଟେ ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏଥିସହ ମହିଳାଙ୍କ ପ୍ରତି ଦୁର୍ବ୍ୟବହାରକୁ ନେଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ମାମଲା ଖାରଜ ନେଇ ପରବର୍ତୀ ଶୁଣାଣି ଆଗାମୀ ୨୬ ତାରିଖରେ ହେବ।