କନକ ବ୍ୟୁରୋ : ଏଫ୍ଏମ୍ ଛାତ୍ରୀ ଆତ୍ମଦାହ, ବଳଙ୍ଗା ନାବାଳିକା ଜଳିଯିବା, ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ମରିବା ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଛି । ଏତିକିବେଳେ ବରଗଡ଼ ପଦ୍ମପୁରରେ ଆଉ ଜଣେ ଯୁବତୀ ପୋଡ଼ି ହୋଇ ଆଖି ବୁଝିବା ସମସ୍ତଙ୍କ ସ୍ତବ୍ଧ କରିଦେଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏଫ୍ଏମ୍ ଛାତ୍ରୀ ଆତ୍ମଦାହ ମାମଲାକୁ ମାସେ ପୂରିବାକୁ ଯାଉଥିଲେ ବି ପୂରା ରହସ୍ୟ ଉପରୁ ପରଦା ହଟିନି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ମାମଲାରେ ସୋସିଆଲ ମିଡିଆରେ ପୋଷ୍ଟ କରି ହାତ ଟେକି ଦେଇଛି ପୁଲିସ। କ୍ରାଇମବ୍ରାଞ୍ଚ ତଦନ୍ତ ବି କେତେବାଟ ଗଲା ତାହା ଜଣାପଡୁନି । ପଟ୍ଟାମୁଣ୍ଡାଇ ଛାତ୍ରୀ ଜଣଙ୍କ ପୁରୁଷ ବନ୍ଧୁଙ୍କ ବ୍ଲାକମେଲରେ ଅସହାୟ ହୋଇ ଆତ୍ମହତ୍ୟା କଲେ ନାଁ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି ନେଇ ସସପେନ୍ସ ଲାଗି ରହିଛି । ପୁଲିସର ଏଭଳି ତଦନ୍ତକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଝିଅ ପୋଡ଼ି ମରିବାରେ ବ୍ରେକ୍ ଲାଗୁନଥିବା ବେଳେ ଜୋର ହୋଇଛି ରାଜନୀତିକ ବୟାନବାଜି । ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଜବାବରେ ଆଇନମନ୍ତ୍ରୀ କହିଛନ୍ତି ଏଭଳି ଘଟଣାର କେମିତି ନିରାକରଣ ହେବ ସେଦିଗରେ କାର୍ଯ୍ୟ କରୁଛନ୍ତି ସରକାର। ମହିଳା ନିର୍ଯାତନା ଓ ମୃତ୍ୟୁକୁ ନେଇ ରାଜ୍ୟ ହୁଲସ୍ତୁଲ ହେଉଥିବାବେଳେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି । ଦାୟିତ୍ବ ନେବା ପରେ ସେ କହିଛନ୍ତି ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି । ଆଗକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୋଟିଏ ପଟେ ତଦନ୍ତ ନସରିବା ଆଉ ଗୋଟିଏ ପଟେ ପ୍ରତି ସପ୍ତାହରେ ଜଣେ ଜଣେ ଝିଅ ପୋଡ଼ି ହୋଇ ମରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପ୍ରଶ୍ନ ଉଠୁଛି, କେବେ ଝିଅ ଜଳିବାରେ ଲାଗିବ ବ୍ରେକ୍? ଝିଅମାନଙ୍କ ଭରସା ଜିତିବାକୁ ପଦକ୍ଷେପ ନେବେ କି ପରିବାର ଓ ସରକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/11/beti-2025-08-11-19-55-17.jpg)