କନକ ବ୍ୟୁରୋ : ପୁଣି ଭୁବନେଶ୍ୱର ସଲିଆସାହିରୁ ଠାବ ହେଲା ଚୋରା ଦେଶୀ ମଦ ଭାଟି । ସଲିଆସାହି ନୀଳଚକ୍ର ନଗରରେ ଚାଲିଥିଲା ଦେଶୀ ମଦଭାଟି । ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହ ହଜାର ହଜାର ଲିଟର ପୋଚ ନଷ୍ଟ କରାଯାଇଛି ।
ପୂର୍ବରୁ ମଧ୍ୟ ଅନେକ ଥର ସାଲିଆସାହିରେ ଚଢାଉ କରି ଚୋରା ଦେଶୀ ମଦ ଭାଟି ଠାବ କରିଛି ପୋଲିସ । ସେପଟେ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ସେପଟେ ଆଠଗଡ଼ ପୁଲିସ ଦ୍ୱାରା ମଦ ମାଫିଆଙ୍କ ଉପରେ ବଡ ଧରଣର ଚଡାଉ । କଟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ପୁଲିସ କୋରଙ୍ଗା ଗାଁରେ ବଡ ଧରଣର ଚଢ଼ଉ କରିଛି । ଚଢ଼ଉ ସମୟରେ ମଦ ପ୍ରସ୍ତୁତି ସାମଗ୍ରୀ ସହିତ ପ୍ରାୟ ୧୦୦ ଲିଟର ଦେଶୀ ମଦ, ୪୧ଟି ପ୍ଲାଷ୍ଟିକ ଜାରକିନରେ ମହଜୁଦ ଥିବା ୧୪ ଶହ ୩୫ ଲିଟର ମହୁଲ ପୋଚ, ୭ଟି ବଡ ଆଲୁମିନିୟମ ଡେ଼କଚି ଓ ଗୋଟିଏ ସାଇକେଲ ଜବତ କରାଯାଇଛି।
ପୁଲିସକୁ ଦେଖି ବେଆଇନ ମଦ ପ୍ରସ୍ତୁତକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଜବତ ହୋଇଥିବା ପୋଚକୁ ପୁଲିସ ପକ୍ଷରୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ଏ ସମ୍ବନ୍ଧରେ ଆଠଗଡ଼ ଥାନାରେ ଅବକାରୀ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ସୂଚନା ଦେଇଛି ପୋଲିସ ।
ସେହିପରି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଲୁଆ ଜଙ୍ଗଲରେ ଚୌଦ୍ଵାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଖୁଣ୍ଟୁଣୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ମଦ ମାଫିଆଙ୍କ ଉପରେ ଆଗାମୀ ଦିନରେ ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛି ପୋଲିସ ।