କନକ ବ୍ୟୁରୋ: ବିଳମ୍ବିତ ରାତିରେ ମାନସିକ ବିକୃତ ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ ସନ୍ଦେହ । ଜଣେ ଟ୍ରକ୍ ଡ୍ରାଇଭର ଏପରି ଅପକର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି ।

Advertisment

ସଦାମ ହୁସେନ । ପେଶାରେ ଟ୍ରକ ଡ୍ରାଇଭର । କିନ୍ତୁ କାମ ସଇତାନର । ଏହି ପିଶାଚ କରିଥିବା କାଣ୍ଡକୁ ଯେତେ ନିନ୍ଦା କଲେ ବି କମ୍ ହେବ । ରାସ୍ତାକଡରୁ ମାନସିକ ବିକୃତ ମହିଳାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ତାକୁ ବାନ୍ଧିଛି ପୁଲିସ । ଭଦ୍ରକ ପୁଲିସର ସୂଚନା ପରେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତକୁ ଝୁମ୍ପୁରାରୁ ଗିରଫ କରାଯାଇଛି ।  

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ରାସ୍ତା କଡରୁ ମହିଳାଙ୍କୁ ଅପହରଣ କରି ନେଇଥିଲା ଦୃବୃର୍ତ୍ତ । ଅପହରଣ କରିନେବା ସମୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଅପହରଣ କରିବା ପରେ ଟ୍ରକରେ ଦୁଷ୍କର୍ମ କରିଥିଲା । ତାପରେ ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିଲା ।  ଅପହୃତ ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି ପୁଲିସ୍ । ଅପହରଣ କରିଥିବା ଟ୍ରକକୁ ଜବତ କରିଛି ପୁଲିସ । 

ରାସ୍ତାକଡରେ ମହିଳା ଜଣଙ୍କ ଏକଟୁଆ ଶୋଇଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ଜାତୀୟ ରାଜପଥରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ଜଣାପଡିଛି । ତେଣୁ ପୁଲିସ ପ୍ରଶାସନ ଏଥିପ୍ରତି ସଜାଗ ହେବାକୁ ଦାବି ହେଉଛି ।