କନକ ବ୍ୟୁରୋ: ଜଙ୍ଗଲରେ ଲୁଚିଥିଲା ଦୁଷ୍କର୍ମ ଅଭିଯୁକ୍ତ । ରାତ ଅଧରେ ମାଡି ବସିଲା ପୋଲିସ । ବିଜୟା ଦଶମୀରେ ଘରେ ଏକା ଥିବା ପଡୋଶୀ ଘର ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ବାନ୍ଧିଛି ମାଲକାନଗିରି ପୋଲିସ । ଏମଭି ୭୯ ମେଡିକାଲରେ ଅଭିଯୁକ୍ତ ଅଶୋକ ସରକାରକୁ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଛି । ଏଥିସହ ଗତ ଦୁଇ ଦିନ ହେଲା ପୋଲିସ ସହ ଅଭିଯୁକ୍ତ ଖେଳୁଥିଲା ଲୁଚକାଳି ଖେଳରେ ପୂର୍ଣ୍ଣଛେଦ ପଡିଛି । ପୁଲିସକୁ ଚକମା ଦେଇ ଦୁଷ୍କର୍ମ ଅଭିଯୁକ୍ତ ଜଙ୍ଗଲରେ ଲୁଚିଥିବା ଖବର ପାଇଥିଲା ମୋଟୁ ପୋଲିସ । ଗତକାଲି ବିଳମ୍ୱିତ ରାତିରେ ମୋଟୁ ପୋଲିସର ଏକ ଟିମ ଏମଭି-୭୯ ଜଙ୍ଗଲର ଏକ କୁଡିଆରେ ଶୋଇଥିବା ଅଭିଯୁକ୍ତ ଅଶୋକ ସରକାରକୁ ଗିରଫ କରିଥିଲା । ସୂଚନା ଅନୁସାରେ ବିଜୟାଦଶମୀ ରାତିରେ ମୋଟୁ ଥାନା ଅଞ୍ଚଳର ଯୁବତୀ ଘରେ ଏକା ଶୋଇଥିଲେ । ପୀଡିତାଙ୍କ ବାପା ନାଳକୁ ମାଛ ଧରିବାକୁ ଯାଇଥିଲେ । ଏହି ମଉକାରେ ପଡୋଶୀ ଘର ଯୁବକ ଅଶୋକ ସରକାର ପୀଡିତାଙ୍କ ଘରେ ବଳପୂର୍ବକ ପଶି ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ।