କନକ ବ୍ୟୁରୋ : ଡକାୟତି ଗ୍ୟାଙ୍ଗକୁ କାବୁକଲା ସୋନପୁର ପୁଲିସ । ବାହାର ରାଜ୍ୟରୁ ଆସି ଡକାୟତି ସହ କରୁଥିଲେ ଗଞ୍ଜେଇ ବେପାର । ବିପୁଳ ପରିମାଣର ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିବା ସହ ଲୁଟ କରୁଥିଲେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାଶ କଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ତେଲନଦୀ ରିଙ୍ଗ୍ ରୋଡ଼ରେ କିଛି ଲୋକ ଏକାଠି ଥିବା ସହ ଡକାୟତି କରୁଥିବା ସୋନପୁର ପୁଲିସ ଖବର ପାଇ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିବାବେଳେ ପୁଲିସ ଟିମ୍ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।
ତଦନ୍ତ କରିବା ସମୟରେ ସେମାନେ କେବଳ ଡକାୟତି ନୁହେଁ ଗଞ୍ଜେଇ ଚୋରାଚାଲାଣରେ ବି ସମ୍ପୃକ୍ତ ଥିବା ପୁଲିସ ଜାଣିଥିଲା । ତାଙ୍କ ଠାରୁ ଗୋଟିଏ ମାଉଜର୍ ସହ ଦୁଇଟି ମାଗାଜିନ୍, ଦୁଇଟି ଅଫୁଟା ଗୁଳି, ଖଣ୍ଡା, ଲଙ୍କା ଗୁଣ୍ଡ, ଲୁହା ଛଡ଼, ଠେଙ୍ଗା, ହକି ଷ୍ଟିକ୍ ଆଦି ବାହାରିଥିଲା । ଏହାକୁ ପୁଲିସ ଜବତ କରିବା ସହ ବାହାର ରାଜ୍ୟର ଦୁଇ ଅଭିଯୁକ୍ତ ସହିତ ମୋଟ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ।