କନକ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ସରଗରମ ଓଡ଼ିଶା ରାଜନୀତି। ଆନ୍ଧ୍ର ପ୍ରକଳ୍ପ ସାରିବାକୁ ବସିଲାଣି, ଓଡ଼ିଶାର ରାଜନୈତିକ ଦଳ କେବଳ କାଦୁଆ ଫିଙ୍ଗା ରାଜନୀତିରେ ମାତିଛନ୍ତି। ବର୍ଷ ବର୍ଷ ଧରି ପୋଲାଭରମ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢୁଥିବା କହି ଭୁଆଁ ବୁଲାଇ ଚାଲିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ।
- ପଲିଟିକ୍ସରେ ପେଶି ହେଉଛି ପୋଲାଭରମ
- କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜନୈତିକ ଦଳ
ପୋଲାଭରମ ପ୍ରକଳ୍ପ। ଆନ୍ଧ୍ର ପାଇଁ ଆଶୀର୍ବାଦ, ଓଡ଼ିଶା ପାଇଁ ଅଭିଶାପ। ବର୍ଷ ବର୍ଷ ଧରି ଓଡ଼ିଶାର ରାଜନୈତିକ ଦଳର ଏ ରହିଛି ମୁଖ୍ୟ ନାରା। ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରି ଯେତିକି କ୍ଷତିଗ୍ରସ୍ତ ହେବ ତାହା ଠାରୁ ଅଧିକ ଲାଭବାନ ହୋଇଛନ୍ତି ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳ। ଦଳଗତ ସ୍ବାର୍ଥ ଆଗରେ ବଳି ପଡି ଯାଇଛି ରାଜ୍ୟର ସ୍ବାର୍ଥ। ପୋଲାଭରମକୁ ନେଇ ଆନ୍ଧ୍ରର ପ୍ରତିବଦ୍ଧତା ଏବଂ ଓଡ଼ିଶାର ଅପାରଗତା ଏବେ ମାଲକାନଗିରି ପାଇଁ ମହାବିପଦ ଡାକି ଆଣିଛି। କିନ୍ତୁ ଓଡ଼ିଶାର ରାଜନୈତିକ ଦଳ ପୋଲାଭରମ ବିରୋଧରେ ନାରାବାଜି ଛଡା କରିଛନ୍ତି ବା କଣ?
ପୋଲାଭରମକୁ ନେଇ ବିକ୍ଷୋଭ, ପ୍ରତିବାଦ, ଆନ୍ଦୋଳନ ନୁଆ ନୁହେଁ। କିନ୍ତୁ ପ୍ରତି ବଦଳରେ ଓଡ଼ିଶା ପାଇଛି କଣ? କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ପୋଲାଭରମ ପ୍ରକଳ୍ପକୁ ଜାତୀୟ ମାନ୍ୟତା ମିଳିଲା। ରାଜ୍ୟ କଂଗ୍ରେସ ଉଁ ଚୁଁ ହେଲାନି। ବିଜେଡି ୨୪ ବର୍ଷ ସରକାରରେ ରହିଲା, ସହଯୋଗୀ ଦଳ ନହୋଇ ମଧ୍ୟ କେନ୍ଦ୍ରକୁ ଅହେତୁକ ସମର୍ଥନ ଦେଲା। ହେଲେ କେନ୍ଦ୍ର ନିକଟରେ ପୋଲାଭରମକୁ ନେଇ କୌଣସି ସର୍ତ୍ତ ରଖିଲାନି ବିଜୁ ଜନତା ଦଳ।
ଅନ୍ୟପଟେ ନବୀନଙ୍କ ଶାସନ ସମୟରେ ଆନ୍ଧ୍ର ପ୍ରକଳ୍ପ କରି ଚାଲିଲା, ଦେଖଣାହାରୀ ସାଜିଥିଲା ତତ୍କାଳୀନ ବିଜେଡି ସରକାର। ଏବେ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର। ବିଜେପିର ୨୦ ସାଂସଦ ଦିଲ୍ଲୀ ଯାଇଛନ୍ତି, କିନ୍ତୁ ପୋଲାଭରମ ପ୍ରସଙ୍ଗରେ ପାଟି ଫିଟୁନି। ୨୦ ସାଂସଦଙ୍କ ଅସମ୍ଭବ ନୀରବତା ଆନ୍ଧ୍ରକୁ ସୁଯୋଗ ଦେଇଛି। ଆଉ ମୋହନ ସରକାର ଥରେ ସମୀକ୍ଷା କରି କାମ ସାରିଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଆସନ୍ତା ୨୯ରେ ପୋଲାଭରମ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି, ସମର୍ଥନ ଦେଇଛି ବିଜେଡି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ଆନ୍ଦୋଳନରୁ ମାଲକାନଗିରିବାସୀଙ୍କୁ ନ୍ୟାୟ ମିଳିବ ତ?