କନକ ବ୍ୟୁରୋ: ରାଜ୍ୟରେ ନୂଆ ଏନଏସି ଓ ମ୍ୟୁନିସିପାଲଟି ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲାର ପୋଲସରା ଓ ଭଞ୍ଜନଗରକୁ ମିଳିବ ମ୍ୟୁନିସିପାଲଟି ମାନ୍ୟତା । ଭଞ୍ଜନଗର ଓ ପୋଲସରା ଏନଏସି ଥିବାବେଳେ ଏହାକୁ ମ୍ୟୁନିସିପାଲଟି କରାଯିବ । ମ୍ୟୁନିସିପାଲଟି ପାଇଁ ପୋଲସରା ଓ ଭଞ୍ଜନଗର ସବୁ ପ୍ରକାରର ମାନଦଣ୍ଡ ପୂରଣ କରୁଛି । ତେଣୁ ପୋଲସରା ଓ ଭଞ୍ଜନଗର ଏନଏସିକୁ ଚିଠି ଲେଖିଛି ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା । ଏକ ଜରୁରୀକାଳୀନ ବୈଠକ ଡାକି ଆଲୋଚନା କରିବାକୁ କୁହାଯାଇଛି । 

Advertisment
  • ୭ ଏନଏସି ଗଠନ ପାଇଁ ଖୁବଶୀଘ୍ର ବଡ଼ ନିଷ୍ପତ୍ତି
  • ମୁଖ୍ୟମନ୍ତ୍ରୀ କରିବେ ବିଧିବଦ୍ଧ ଘୋଷଣା!

ତତ୍କାଳୀନ ବିଜେଡି ସରକାର ବିଧାନସଭା ନିର୍ବାଚନ ପୂର୍ବରୁ୨୩ ଜିଲ୍ଲାର ୫୭ ନୂଆ ପୌରସଂସ୍ଥା ଗଠନ ପାଇଁ ଘୋଷଣା କରିଥିଲେ । କିନ୍ତୁ ବିଜେଡି ସରକାର ଏଥିପାଇଁ କୌଣସି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିନଥିଲା ।  ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ, ୭ଟି ନୂଆ ପୌରସଂସ୍ଥା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି । ପଞ୍ଚାୟତିରାଜ ବିଭାଗ ଏ ନେଇ ଆବଶ୍ୟକୀୟ ମଞ୍ଜୁରି ଦେଇସାରିଛି । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ । ଖୁବଶୀଘ୍ର ଏ ନେଇ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ନୂଆ ପୌରସଂସ୍ଥାର ନାଁ ଘୋଷଣା କରିପାରନ୍ତି । ସେପଟେ ନୂଆ ପୌରସଂସ୍ଥା ନେଇ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛି ବିଜେଡି ।  

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂଆ ଏନଏସି ଓ ମ୍ୟୁନିସିପାଲଟି ଗଠନ ପାଇଁ ଦାବି ଜୋର ଧରିଛି । ଏହି ତାଲିକା ଲମ୍ବା ହୋଇଚାଲିଛି । ତେଣୁ ନୂଆ ପୌରସଂସ୍ଥା ଘୋଷଣା ବିଜେପି ସରକାର ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।