କନକବ୍ୟୁରୋ : ପରିଚୟ ଖୋଜୁଛି ପୋଖରୀ। ପାଣି ଭର୍ତି ପୋଖରୀ ପୋତି ହୋଇଗଲାଣି ।  ବରଗଡ଼ ସହରରେ ଥିବା ପୋଖରୀରେ ପାଣି ଖୋଜିବାକୁ ପଡୁଛି । କାରଣ ଦଳ ଓ ଅଳିଆ ଆବର୍ଜନା ଭିତରେ ପାଣି ଦେଖାଯାଉନାହିଁ । ଆଉ ଯେଉଁଠି ପାଣି ଦେଖାଯାଉଛି, ସେଠି ଗୋଡ଼ ବୁଡ଼ାଇବାକୁ ଇଛା ହେଉନି । 

Advertisment

ପଡ଼ିଆ ଭଳି ଦେଖାଯାଉଥିବା ଏହି ସ୍ଥାନଗୁଡ଼ିକ ଗୋଟିଏ ଗୋଟିଏ ପୋଖରୀ। ଯାହା ଦିନେ ବରଗଡ଼ର ଜଳକଷ୍ଟ ଦୂର କରୁଥିଲା। ସହରରେ ପୋଖରୀ ଅଛି, କିନ୍ତୁ କାମକୁ ଆସୁନି  ।  ପୌରପାଳିକା ଅଧିନରେ ଥିବା ଜଳାଶୟ ଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇ ନାହିଁ। ଶୁଖିଗଲାଣି। କେଉଁଠି ଗାଈଗୋରୁ ଚରୁଛନ୍ତି ତ ଆଉ କେଉଁଠି ପାଣିର ଅବସ୍ଥା ନକହିବା ଭଲ । 

ଅନାବନା ଘାସ ଓ ଦଳରେ ପୋତି ହୋଇଯାଇଛି। ବନ୍ଧର ପୁନଃରୁଦ୍ଧାର ପାଇଁ ପୌର ଅଧିକାରୀଙ୍କୁ ଦାବିପତ୍ର ଦେଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି। ବରଗଡ଼ ପୌରପାଳିକା ଅଧିନରେ ୧୦୬ ଏକର ଜଳାଶୟ ଜମି ରହିଛି ।  କେତେ ଜମି ଜବରଦଖଲରେ ରହିଛି ତା' ହିସାବ କାହା ପାଖରେ ନାହିଁ ।   ପୂର୍ବରୁ ଅବସ୍ଥାପିତ ନିର୍ବାହୀ ଅଧିକାରୀ ଡିମାରକେସନ କରାଯିବ ବୋଲି କହିଥିଲେ। ହେଲେ କୌଣସି ପଦକ୍ଷେପ ନେଲେ ନାହିଁ । ବର୍ତ୍ତମାନର ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ସହରରେ ୨୦ରୁ୨୨ଟି ଜଳାଶୟ ଅଛି  ।   କିଛି ଜଳାଶୟର ପୁନଃରୁଦ୍ଧାର କାମ ହୋଇଛି। ଅନ୍ୟ ଜଳାଶୟର କାମ ପାଇଁ ଚିଠି କରାଯାଇଛି ।