କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ପାକ୍ ଅଧିକୃତ କାଶ୍ମୀର ପିଓକେ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ସେହି ଦିନ ଆଉ ଦୂର ନାହିଁ ଯେବେ ପିଓକେ ଆମର ହେବ, ଏବଂ ସେଠାକାର ଲୋକମାନେ ଭାରତକୁ ଫେରିବେ । ରାଜନାଥ ସିଂହଙ୍କ ଏହି ବୟାନରେ ପାକିସ୍ତାନ ପୁଣି ଥରେ ଆତଙ୍କିତ ହୋଇଉଠିଛି । ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ ।
ରାଜନାଥ ସିଂହ କହିଛନ୍ତି, ଜାତୀୟ ସୁରକ୍ଷାରେ ମେକ୍ ଇନ୍ ଇଣ୍ଡିଆ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦି ଆମ ପାଖରେ ଏହି କ୍ଷମତା ନଥାନ୍ତା, ତେବେ ଆମର ସେନା ପାକିସ୍ତାନକୁ ପରାସ୍ତ କରିପାରି ନଥାନ୍ତା । ପାକିସ୍ତାନକୁ ଟାର୍ଗେଟ କରି ରାଜନାଥ ଆହୁରି କହିଛନ୍ତି, ଆତଙ୍କବାଦର ବ୍ୟବସାୟ ଚଳାଇବା ପାକିସ୍ତାନକୁ ଏକ ବଡ ମୂଲ୍ୟ ଦେବାକୁ ପଡ଼ିପାରେ । ପାକିସ୍ତାନ ଏବେ ଏହା ବହୁତ ଭଲ ଭାବରେ ଅନୁଭବ କରିସାରିଛି ।
ରାଜନାଥ ସିଂ ଆହୁରି କହିଛନ୍ତି, ଭାରତୀୟ ସେନା ଏକ ଦକ୍ଷ ଡାକ୍ତର ଏବଂ ସର୍ଜନ ପରି କାମ କରିଥିଲା । ଯେପରି ଜଣେ ଦକ୍ଷ ସର୍ଜନ ଅପରେସନ୍ ବେଳେ ଠିକ୍ ସମୟରେ ତାଙ୍କର ଉପକରଣ ବ୍ୟବହାର କରନ୍ତି, ସେହିପରି ଭାରତୀୟ ସେନା ମଧ୍ୟ ଆତଙ୍କବାଦର ମୂଳପୋଛ ପାଇଁ ତାଙ୍କର ଅସ୍ତ୍ରଶସ୍ତ୍ରକୁ ଅତି ସଠିକତାର ସହିତ ବ୍ୟବହାର କରିଥିଲା । କିନ୍ତୁ ପାକିସ୍ତାନର ଅଭ୍ୟାସ ରହିଛି, ସେ କେବେ ସହଜରେ ତା’ ହାରକୁ ସ୍ୱୀକାର କରେନାହିଁ । ସେଥିପାଇଁ ଏତେ ପ୍ରହାର ପରେ ବି ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗିନି । ଏବେ ବି ପାକିସ୍ତାନ ଭାରତୀୟ ମାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ଏବଂ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି ।