କନକ ବ୍ୟୁରୋ : ସବୁଜ ପନିପରିବା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଖାସ୍ କରି ବର୍ଷାଦିନେ ବଜାରରେ ସବୁଜ , ତଟକା ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ କିଛି କିଛି ଏମିତି ପରିବା ବି ରହିଛି ଯାହା ୧୨ ମାସରେ ବଜାରରେ ଉପଲବ୍ଧ । ଏହା ଶରୀର ପାଇଁ ଯେତେ ପୁଷ୍ଟିକର , ଚାଷ କରିବା ବି ଭାରି ସହଜ । କିଛି କିଛି ଲୋକ ଛାତ ଉପରେ ମଧ୍ୟ ଏହାକୁ ଲଗାଇଥା’ନ୍ତି । ଆଜି ଆମେ ଆପଣଙ୍କୁ ଯେଉଁ ପରିବା ବିଷୟରେ କହିବାକୁ ଯାଉଛୁ ତାହା ଏକ ଶାଗ । ଯାହାର ନାଁ ହେଉଛି ପୋଇ ଶାଗ । ପୋଇ ଶାଗରେ ପାଳଙ୍ଗଠାରୁ ମଧ୍ୟ ଅଧିକ ପରିମାଣରେ ଆଇରନ୍ ଏବଂ ପ୍ରୋଟିନ୍ ମିଳିଥାଏ । ଏହାକୁ ଭାଜି ଖାଇବା ଦ୍ବାରା ଆମ ଶରୀର ଭିତରରୁ ଥଣ୍ଡା ହୋଇଥାଏ । ବିଶେଷକରି ମହିଳାମାନେ ଏହି ଶାଗ ନିଶ୍ଚୟ ଖାଇବା ଆବଶ୍ୟକ । କାରଣ ଏହା ଶରୀରରେ ହିମୋଗ୍ଲୋବିନର ଅଭାବକୁ ଦୂର କରେ । ଡାକ୍ତର ପୋଇ ଶାଗକୁ ଆଇରନ୍ ର ପାୱାର୍ ହାଉସ୍ ବୋଲି ମଧ୍ୟ କୁହନ୍ତି ।
ପୋଇ ଶାଗରେ ଭିଟାମିନ୍ (A, C), ପ୍ରୋଟିନ୍, ମାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କ୍ୟାଲସିୟମ୍, ବିଟା କ୍ୟାରୋଟିନ୍ ଏବଂ ଲ୍ୟୁଟିନ୍ ପ୍ରଚୁର ପରିମାଣରେ ଥାଏ । ଏହି ସମସ୍ତ ତତ୍ତ୍ୱ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହିତ ଆଖି ଏବଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥା’ନ୍ତି । ଏଥିରେ ଫାଇବର ମଧ୍ୟ ପ୍ରଚୁର ପରିମାଣରେ ମିଳେ ଯାହା ଶରୀରର ଖରାପ କୋଲେଷ୍ଟ୍ରଲକୁ କମ୍ କରିବା, ହାଡ଼କୁ ମଜବୁତ କରିବା ଏବଂ ଆର୍ଥରାଇଟିସ୍ ଯନ୍ତ୍ରଣାକୁ କମ୍ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଯେଉଁ ଲୋକମାନଙ୍କ ମଧ୍ୟରେ ଅନିଦ୍ରାର ସମସ୍ୟା ଦେଖାଯାଏ ସେମାନେ ପୋଇଶାଗକୁ ଖାଇବା ଆରମ୍ଭ କରନ୍ତୁ । ଏଥିରେ ନିଦ୍ରାହୀନତା ସମସ୍ୟା ଦୂର ହୁଏ । ଏହି ଶାଗକୁ ଆପଣ ପକୁଡ଼ି, ଶାଗ ଏବଂ ଜୁସ୍ କରି ପ୍ରତିଦିନ ସେବନ କରିପାରିବେ । ଯେଉଁ ମହିଳାମାନଙ୍କୁ ହିମୋଗ୍ଲୋବିନର ସମସ୍ୟା ଦେଖାଯାଏ ସେମାନେ ପୋଇଶାଗ ଖାଇବା ଆରମ୍ଭ କରନ୍ତୁ ।