କନକ ବ୍ୟୁରୋ: ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଓ ପରେ ହତ୍ୟା କରିବା ମାମଲାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ପୋକ୍ସୋ ଅଦାଲତ । ୩ମାସ ତଳେ ଚଳିତ ବର୍ଷ ଏପ୍ରିଲ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିଲା ।  ଦୁଷ୍କର୍ମ ପରେ ହତ୍ୟା କରି ଫୋପାଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ କରିବା ସହ ମୃତ ନାବାଳିକାଙ୍କ ସମ୍ପର୍କୀୟ ମାମୁଁ ତଥା ଅଭିଯୁକ୍ତ କାଳିଆ ନାହାକକୁ ଗିରଫ କରି ଜେଲ୍ ପଠାଇଥିଲା । ୨୦ଜଣ ସାକ୍ଷୀଙ୍କ ବୟାନ ଆଧାରରେ ପୋକ୍ସୋ ଅଦାଲତରେ ମାନ୍ୟବର ବିଚାରପତି ପ୍ରଣତି ପଟ୍ଟନାୟକ  ଅଭିଯୁକ୍ତ କାଳିଆ ନାହାକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ସ୍ଥଳେ ବିଭିନ୍ନ ଦଫା ଅନୁସାରେ ଦଣ୍ଡିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ପୀଡ଼ିତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସେହିପରି ବାରିପଦାରେ ମଧ୍ୟ  ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ଏଥି ସହିତ ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ପୋକ୍ସୋ କୋର୍ଟ । ଅଭିଯୁକ୍ ମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଚାଦଡା ଗ୍ରାମର ସାମାୟ ମୁର୍ମୁ ଏବଂ ମାଟୁ ମୁର୍ମୁ । ୨୦୨୧ ମସିହାରେ ଏହି ଦୁଇ ଅଭିଯୁକ୍ତଙ୍କୁ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା  ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଉଦଳା ପୁଲିସ । ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି ବିଚାରପତି ପ୍ରତିମା ପାତ୍ର ।