କନକ ବ୍ୟୁରୋ: ଜଗତସିଂହପୁର ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା । ଅଧ୍ୟାପକଙ୍କ ନାଁରେ ମାମଲା ରୁଜୁ । ଜଗତସିଂହପୁର ଜିଲ୍ଲା ଅରୁପାନନ୍ଦ କଲେଜର ଛାତ୍ରୀଙ୍କୁ ଆପତ୍ତିଜନକ ବ୍ୟବହାର ଘଟଣାରେ ସଂପୃକ୍ତ କଲେଜ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଉପ-ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିରୋ ଏଫଆଇଆର କରାଯାଇ ସେକ୍ସନ ୧୨ ଏବଂ ୨୧ ଅନୁସାରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଏହି ଘଟଣାରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ସମ୍ପୃକ୍ତ ଅଧ୍ୟାପକ ଶାଶ୍ୱତ ମହାନ୍ତିଙ୍କୁ ୬ ମାସ ପାଇଁ ଉପଜିଲ୍ଲାପାଳ ନିଲମ୍ବିତ କରିଥିଲେ । ତେବେ କାଲିର ଏଫ୍‌ଆଇଆର ପ୍ରଥମେ ଜଗତସିଂହପୁର ଥାନାରେ ଦିଆଯାଇଛି । ଏହାପରେ ରଘୁନାଥପୁର ଥାନାକୁ ଟ୍ରାନ୍ସଫର କରାଯାଇଛି ।   

Advertisment

ଜଗତସିଂହପୁରରେ ଏବେ ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ପୁଣି ଏଭଳି ଘଟଣା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ତଦନ୍ତ କରୁଛି ୩ ଜଣିଆ ତଦନ୍ତକାରୀ ଟିମ୍ । ଏସ୍‌ପିଙ୍କ ନେତୃତ୍ୱରେ ଏହି ଟିମ୍‌ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ଅଘଟଣରେ ଦୁଇ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଜଣେ ଯୁବତୀ ନିଜ ବାନ୍ଧବୀଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ସହ ଅମାନବୀୟ ଘଟଣା ଘଟାଇଥିଲେ ଦୁଇ ଅଭିଯୁକ୍ତ । ଏହାପରେ ଏବେ ଅରୁପାନନ୍ଦ କଲେଜରୁ ଆସିଛି ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏହାପରେ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।