କନକ ବ୍ୟୁରୋ : ସାରା ରାଜ୍ୟରେ ମାତିଛନ୍ତି ଶିକାରୀ । ଅସୁରକ୍ଷିତ ହୋଇପଡ଼ିଛନ୍ତି ଜୀବଜନ୍ତୁ । ବନ ବିଭାଗର ପକ୍ଷରୁ ଶିକାରୀଙ୍କୁ ଗିରଫ କରାଯାଉଛି । ତଥାପି ଏଥିରେ ରୋକ ଲାଗିପାରୁନି । ଏଇ କିଛି ଦିନ ଭିତରେ ଉଦଳାରୁ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଆହୁରି ୬ ଜଣଙ୍କୁ ବନ ବିଭାଗ ଖୋଜୁଛି । ଏଆଇ କ୍ୟାମେରାରେ ଧରାପଡ଼ିଥିବା ଏହି ଶିକାରୀଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସରରେ ଶିକାରୀ ଓ ସେମାନଙ୍କ ସହଯୋଗୀ ସକ୍ରିୟ ହୋଇ ଉଠିଛନ୍ତି । ବନ୍ଧୁକ, ହରିଣ ସିଙ୍ଗ ଜବତ କରିବା ସହ ଶିକାରୀଙ୍କୁ ଗିରଫ କରାଯାଇଛି । ବନ୍ୟଜନ୍ତୁକୁ ଦେଶୀ ବନ୍ଧୁକରେ ଶିକାର କରିବା ପରେ ତାର ମାଂସ, ଚମଡ଼ା, ଦାନ୍ତ, ଶିଙ୍ଗ ଆଦିକୁ ବେଆଇନ ଭାବେ ବିକ୍ରି କରୁଥିବା ଜଣାପଡ଼ିଛି ।