କନକ ବ୍ୟୁରୋ: ଶିମିଳିପାଳରେ ବନବିଭାଗକୁ ନାକେଦମ କଲେଣି ଶିକାରୀ ।  କଳାବାଘ ଛୁଆକୁ ଶିକାରୀ ଗୁଳି କରି ହତ୍ୟା କରିବା ପରେ ବନବିଭାଗକୁ ଘାରିଛି ଜିନତ ଓ ଯମୁନାର ସୁରକ୍ଷା ଚିନ୍ତା ।  ଏଆଇ କ୍ୟାମେରା ୧୦ ଜଣ ଶିକାରୀଙ୍କୁ ଧରିଥିଲେ ବି ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ଶିମିଳିପାଳ ଉପରେ ନଜର ରଖିବାକୁ ବନବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । 

Advertisment

ଶିମିଳିପାଳରେ ରହିଛ ମାଳ ମାଳ ଟ୍ରାପ କ୍ୟାମେରା ଓ ସିସିଟିଭି । ମାଆଠାରୁ ଅଲଗା ହୋଇ ଦେଢବର୍ଷର କଳାବାଘ ଛୁଆ ଜଙ୍ଗଲରେ ବୁଲୁଥିବାବେଳେ ଶିକାରୀଙ୍କ ଗୁଳିରେ ଶିକାର ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଶିକାରୀକୁ ବନବିଭାଗ ଖୋଜୁଥିବାବେଳେ ଏଆଇ କ୍ୟାମେରା ଶିକାରୀଙ୍କୁ ଧରାଇଦେଇଛି । ଏଆଇ ଟ୍ରାପ କ୍ୟାମେରାରେ ଧରାପଡିଛନ୍ତି ୧୦ ଜଣ ଶିକାରୀ । ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । କିଛିଦିନ ପୂର୍ବରୁ ବାଘୁଣୀ ଜିନତ୍‌କୁ ଖୋଜିବା ପାଇଁ ପଶ୍ଚିମବଙ୍ଗରେ ବନବିଭାଗର ଅଧାରୁ ଅଧିକ ଟିମ୍ ବ୍ୟସ୍ତ ରହିଥିବାବେଳେ ସେହି ସମୟରେ କଳାବାଘକୁ ଶିକାର କରାଯାଇଛି । 

ଶିକାରୀ ଧରାପଡିବା ପରେ  ଶିମିଳିପାଳରେ ବଢିଛି ସୁରକ୍ଷା ବ୍ୟବସ୍ଥା । ଶିମିଳିପାଳକୁ ଜଗିବା ପାଇଁ ଅତିରିକ୍ତ ଫୋର୍ସ ମଗାଯାଇଛି । ଡିଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ତତ୍ବାବଧାନରେ  ବନବିଭାଗ ଓ ପୁଲିସର ମିଳିତ ସହଯୋଗରେ ଗଠିତ ହୋଇଛି ସ୍ପେଶାଲ ଟାସ୍କଫୋର୍ସ । ଦକ୍ଷ ପୁଲିସ ଓ ବନବିଭାଗ କର୍ମଚାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସରେ ଆର୍ମ ଫୋର୍ସକୁ ସାମିଲ କରାଯିବ ।  ଶିମିଳିପାଳ ଅଭୟାରଣ୍ୟରେ ବାଘକୁ ସୁରକ୍ଷା ଦେବାକୁ ଆଗକୁ ୧୫୦ ଏଆଇ ଟ୍ରାପ କ୍ୟାମେରା  ଓ ୧୨୫ ସିସିଟିଭି ଲାଗିବ । ବାଘଛୁଆ ଶିକାର ଏବେ ସାମ୍ନାକୁ ଆସିବା ପରେ ବନବିଭାଗ ସଫେଇ ଦେଇଛି ।