କନକ ବ୍ୟୁରୋ : ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ । ଏଥିପାଇଁ ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ସେ କିଛି ସମୟ ଅଟକିବାକୁ ପଡିବାରୁ ବିଳମ୍ବରେ ଦିଲ୍ଲୀକୁ ଫେରିଥିଲେ ମୋଦୀ । ଆଜି ନିର୍ବାଚନ ପ୍ରଚାର ପାଇଁ ଝାଡ଼ଖଣ୍ଡ ଗସ୍ତରେ ଥିଲେ । ଆଦିବାସୀ ନେତା ବିସ୍ରା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ଜନଜାତି ଗୌରବ ଦିବସ ଉପଲକ୍ଷେ ସେ ୨ଟି ଜନସଭାରେ ଯୋଗ ଦେଇଥିଲେ । ଏସବୁ କାର୍ଯ୍ୟକ୍ରମ ସାରି ମୋଦୀ ନୂଆଦିଲ୍ଲୀ ଫେରିବାକୁ ଏୟାରପୋର୍ଟ ଯିବାବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ଥିଲା । ଏହାପରେ ବୈଷୟିକ ଟିମ ବିମାନର ତ୍ରୁଟି ସଜାଡ଼ିବାକୁ ଲାଗିଥିଲେ । ତେବେ ବାୟୁସେନାର ସ୍ବତନ୍ତ୍ର ବିମାନରେ ୨ ଘଂଟା ବିଳମ୍ବରେ ଫେରିଛନ୍ତି ମୋଦୀ । କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଝାଡଖଣ୍ଡର ଗୋଡ୍ଡାଠାରେ ଅଟକି ରହିଛି । ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରଟି ଉଡ଼ାଣ ନକରିପାରିବାର କାରଣ ଦଳକୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଉଡ଼ାଣ ପାଇଁ କ୍ଲିୟରାନ୍ସ ନମିଳିବାରୁ ହେଲିକପ୍ଟରଟି ଅଧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ସଭା ହେତୁ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନାହିଁ । ସୂଚନା ମୁତାବକ, ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ଝାଡଖଣ୍ଡ ଯାଇଥିଲେ। ସେଠାରୁ ଆସିବା ପାଇଁ ସେ ହେଲିକପ୍ଟରରେ ବସିଥିଲେ ବି ତାଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।  ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ହେଲିକପ୍ଟର ଭିତରେ ବସି ଉଡ଼ାଣ ପାଇଁ ଅନୁମତି ମିଳିବାକୁ ଅପେକ୍ଷା କରିଥିବା ଦେଖାଯାଇଛି ।