କନକ ବ୍ୟୁରୋ:  ଅପେକ୍ଷା କରିଥିଲେ ନେତା, ଉତ୍ସାହିତ ଥିଲେ କର୍ମୀ। ବିମାନବନ୍ଦରରୁ ସଭାସ୍ଥଳ ଜନତା ମୈଦାନ। ହଜାର ହଜାର ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ । ଅପରାହ୍ନ ୩ଟା ୫୪ ମିନିଟ୍ । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩ ମିନିଟ୍ । ମୋଦୀଙ୍କ କାରକେଡ ବାହାରକୁ ବାହାରିଥିଲା । ହାତ ହଲାଇ ଅଭିବାଦନ କରିବା ସହ ବହୁ ପ୍ରତିକ୍ଷିତ କ୍ଷଣର ସାକ୍ଷୀ ସାଜିଥିଲେ ହଜାର ହଜାର ଲୋକ । ରୋଡ ସୋ'ରେ ବାହାରିବା କ୍ଷଣି ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଓଡ଼ିଶାବାସୀ । ମୋଦୀ ମୋଦୀ ନାରାରେ କମ୍ପି ଉଠିଥିଲା ରାଜରାସ୍ତା । କିଏ ଫୁଲ ପକାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରୁଥିଲେ ତ ପୁଣି କିଏ ପୋଷ୍ଟର ଓ ବ୍ୟାନର ଧରି ମୋଦୀଙ୍କୁ ବର୍ଷ ପୂର୍ତ୍ତିର ଶୁଭେଚ୍ଛା ଜଣାଉଥିଲେ । 
 
ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ଓଡ଼ିଶାର ପାରମ୍ପରିକ ନାଚଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଛି । ଢୋଲ ବାଜା ବଜାଇବା ସହ ପାରମ୍ପରିକ କଳାର ପ୍ରଦର୍ଶନ କରାଯାଇଛି । ଛକ ଛକରେ ଅପରେସନ ସିନ୍ଦୂର ଥିମ୍‌ରେ କ୍ଷୁଦ୍ର ନାଟକ ଜରିଆରେ ସେନାର ପରାକ୍ରମ ପ୍ରଦର୍ଶିତ ହୋଇଛି । ଅନ୍ୟପଟେ ମୋଦୀଙ୍କୁ ଦେଖି କିଏ ଉତ୍ସାହିତ ହୋଇଛି ତ ପୁଣି କିଏ ଭାବୁକ ହୋଇପଡିଛି । ଆଖିରୁ ଲୁହ ଝରିପଡିଛି । ମୋଦୀଙ୍କ ଗସ୍ତ ସହ ଓଡ଼ିଶା ଆହୁରି ସମୃଦ୍ଧ ହେବେ ବୋଲି କହିଛନ୍ତି ସାଧାରଣ ଜନତା । ରାଜ୍ୟରେ ବିଜେପି ସରକାରକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ୬ ଥର ଓଡ଼ିଶା ଆସିଲେଣି ପ୍ରଧାନମନ୍ତ୍ରୀ । ଏହା ସଂକେତ ଦେଉଛି ମୋଦୀଙ୍କ ଫୋକସରେ ରହିଛି ଓଡ଼ିଶା । ଏହାସହ ବର୍ଷପୂର୍ତ୍ତିରେ ଓଡ଼ିଶାବାସୀଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।