କନକ ବ୍ୟୁରୋ : କୁଏତ ଗସ୍ତର ଦ୍ୱିତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ଗଲଫ ଲେବର କ୍ୟାମ୍ପରେ ଶୁଣିବାକୁ ମିଳିଛି ଏହି ନାରା। ଜୟ ଜଗନ୍ନାଥ ନାରା ଦେଇ କୁଏତରେ ପ୍ରବାସୀ ଶ୍ରମିକଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। କ୍ୟାମ୍ପରେ ଥିବା ଓଡ଼ିଆ ଯୁବକଙ୍କ ସହ କଥା ହୋଇ ହାଲଚାଲ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି। ଓଡ଼ିଆ ଯୁବକ ପାଖରେ ପ୍ରଧାନମନ୍ତ୍ରୀଙ୍କୁ ପାଇ ଜାନୁଆରୀରେ ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ଧନ୍ୟବାଦ ଜଣାଇଛନ୍ତି। 

Advertisment

ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେଉଥିବାରୁ ସରକାରଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ଉତ୍ସାହ, ଉତ୍କଣ୍ଠା ବଢିଯାଇଛି । ସେଥିପାଇଁ ଭୁବନେଶ୍ୱର ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଖୁଣ୍ଟ ପୋତା, ଟେଣ୍ଟ ଲଗାଇବା, କାର୍ପେଟ ବିଛାଇବା କାମ ଚାଲିଛି । ଭୁବନେଶ୍ବର ସହରର ରାସ୍ତାଘାଟ, କାନ୍ଥବାଡକୁ ସଜା ଯାଉଛି । ଅନ୍ୟପଟେ ଓଡ଼ିଶାକୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଓଡିଶାକୁ ଦୀପାବଳି ଭଳି ସୁସଜ୍ଜିତ କରିବାକୁ ନିବେଦନ କରିଛନ୍ତି । ସେପଟେ ରାଜ୍ୟ ଆଇନମନ୍ତ୍ରୀ କହିଛନ୍ତି ସରକାରଙ୍କ ପ୍ରସ୍ତୁତି ପୂର୍ଣ ମାତ୍ରାରେ ଚାଲିଛି । 

ସମ୍ମିଳନୀରେ ସାମିଲ ପ୍ରବାସୀ ଭାରତୀୟ ପୁରୀ, ଭୁବନେଶ୍ୱର ସମେତ ୩୦ଟି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଓଡିଶାର ଆକର୍ଷଣ ତାଙ୍କ ହୃଦୟକୁ ସବୁବେଳେ ଯେମିତ ବାନ୍ଧି ରଖିବ, ସେଭଳି ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର ।