କନକ ବ୍ୟୁରୋ : ରାଜ୍ୟରେ ଲାଗୁ ହେବ ପିଏମ ଉଷା ଯୋଜନା। ଯୋଜନା ଲାଗୁ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ରାଜ୍ୟରେ ଯୋଜନା ଲାଗୁ ହେବାରେ ବିଳମ୍ବ ନେଇ ପୂର୍ବ ବିଜେଡି ସରକାରକୁ ଦୋଷ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ୩ ବର୍ଷ ପୂର୍ବରୁ ଏହା ଲାଗୁ ହେବାର ଥିଲା। କିନ୍ତୁ ପୂର୍ବ ସରକାରଙ୍କ ଆନ୍ତରିକତା ଅଭାବରୁ ଏହା ଲାଗୁ ହୋଇ ପାରିନଥିଲା। ପିଏମ ଉଷା ଯୋଜନାରେ ଏବେ ଓଡ଼ିଶା ୫ଶହ କୋଟି ଟଙ୍କା ପାଇବ ବୋଲି ସେ କହିଛନ୍ତି।

ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗବେଷଣା ଓ ଦକ୍ଷତା ବିକାଶ ଦିଗରେ ଖର୍ଚ୍ଚ ହେବ ଏହି ଅର୍ଥ। ରାଜ୍ୟର ୧ କୋଟି ପିଲା ଏହାର ଫାଇଦା ପାଇବେ। ପିଏମ ଉଷା ବୁଝାମଣା ପତ୍ର ସ୍ୱାକ୍ଷର ରାଜ୍ୟରେ ଆଗାମୀ ଦିନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ହେବ। ଯୁବବର୍ଗଙ୍କୁ ଦକ୍ଷତା ଓ ବୈଷୟିକ କ୍ଷେତ୍ରରେ ଅଧିକ ସୁଦୃଢ଼ କରିବା ଏବଂ ନିଯୁକ୍ତି କ୍ଷେତ୍ରରେ ପିଏମ ଉଷା ଯୋଜନା ଅମୃତ ସଦୃଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।