କନକ ବ୍ୟୁରୋ: କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବାକୁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । କାରଣ ଦେଶର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବାରେ ଏମାନଙ୍କ ମଧ୍ୟ ଯୋଗଦାନ ରହିଛି । କିନ୍ତୁ କୋଭିଡ ସମୟରେ କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗି ଯାଇଥିଲା । ଏହି ସମୟରେ ସରକାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା । କିନ୍ତୁ ଆଜି ବି ଏହି ଯୋଜନା ସମ୍ପର୍କରେ ଅନେକ ଲୋକ ଅବଗତ ହୋଇନାହାନ୍ତି, ଯାହାଫଳରେ ଏହାର ଫାଇଦା ମଧ୍ୟ ଉଠାଇ ପାରୁନାହାନ୍ତି । ନିମ୍ନରେ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଯାହାଦ୍ୱାରା ସ୍ୱନିଧି ଯୋଜନାରେ ଫାଇଦା କଣ, କେମିତି ଆବେଦନ କରାଯାଏ ଓ କେଉଁମାନେ ଏହାର ଫାଇଦା ଉଠାଇପାରିବେ ସେସମ୍ପର୍କରେ ଜାଣିପାରିବେ ଲୋକେ ।

Advertisment

କରୋନା ମହାମାରୀ ସମୟରେ ଛୋଟ ଛୋଟ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ବିଶେଷ କରି ବୁଲାବିକାଳି, ରାସ୍ତାକଡ଼ ବ୍ୟବସାୟୀ, ଠେଲା ଗାଡ଼ିରେ ବ୍ୟବସାୟ କରୁଥିବା ଲୋକଙ୍କ ଆୟ ଏକ ପ୍ରକାର ଠପ ହୋଇଯାଇଥିଲା । ଏହି ସମୟରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସଞ୍ଜୀବନି ପାଲଟିଥିଲା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା । କାରଣ ମୋଦୀ ସରକାର ବିନା କୌଣସି ଗ୍ୟାରେଣ୍ଟିରେ ୮୦ ହଜାର ଟଙ୍କା ଯୋଗାଇ ଦେଇଥିଲେ । ଯାହାଫଳରେ କଠିନ ସମୟରେ ବି ଛୋଟଛୋଟ ବ୍ୟବସାୟୀଙ୍କ ପରିବାରକୁ ପେଟକୁ ଦିମୁଠା ଦାନା ମିଳିପାରିଥିଲା । ଯେକୌଣସି ଛୋଟଛୋଟ ବ୍ୟବସାୟୀ ଏହି ଯୋଜନାର ଲାଭ ଉଠାଇପାରିବେ । ବର୍ତ୍ତମାନ ଏହି ଯୋଜନାକୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି । କାରଣ ଏଥର ୮୦ ହଜାର ନୁହେଁ ପୂରା ୯୦ ହଜାର ଟଙ୍କା ଦେବେ ସରକାର ।

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଏକାଥରକେ ୯୦ ହଜାର ଟଙ୍କା ମିଳିବ ନାହିଁ । କୌଣସି ବ୍ୟକ୍ତି ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଆବେଦନ କରନ୍ତି, ତେବେ ପ୍ରଥମେ ତାଙ୍କୁ ୧୫ ହଜାର ଟଙ୍କା ଋଣ ମିଳିବ । ଏହି ଋଣ ରାଶି ନିର୍ଦ୍ଧାରିତ ସମୟରେ ପରିଶୋଧ କରାଗଲେ ହିଁ ସେ ସ୍କିମ୍‌ ଅଧୀନରେ ପରବର୍ତ୍ତୀ ସମୟରେ ୨୫ ହଜାର ଟଙ୍କା ଋଣ ପାଇପାରିବେ । ଏହି ଋଣ ପରିଶୋଧ କରିବା ପରେ ବ୍ୟବସାୟୀ ଏକାଥରକେ ୫୦ ହଜାର ଟଙ୍କା ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।

ସବୁଠାରୁ ବଡ଼ କଥା ହେଉଛି ଏହି ଲୋନ୍‌ ନେବାକୁ ନା କୌଣସି ଗ୍ୟାରେଣ୍ଟିର ଆବଶ୍ୟକତା ଅଛି ନା କିଛି ବନ୍ଧକ ରଖିବାର ଆବଶ୍ୟକତା । କେବଳ ଆଧାର କାର୍ଡ ମାଧ୍ୟମରେ ପର୍ଯ୍ୟାୟକ୍ରମେ ଆପଣଙ୍କୁ ଏହି ଋଣ ସହଜରେ ମିଳିଯାଏ । PM ସ୍ୱନିଧି ଯୋଜନା ଅଧୀନରେ ନିଆଯାଇଥିବା ଋଣ, ବର୍ଷକ ମଧ୍ୟରେ ପରିଶୋଧ କରାଯାଇପାରିବ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପୋର୍ଟାଲରେ ଅତି ସରଳ ପ୍ରକ୍ରିୟାରେ ଏହି ଯୋଜନାରେ ଆବେଦନ କରି ପାରିବେ ଲୋକେ । 

ଯେଉଁ ହିତାଧିକାରୀମାନେ ଠିକ୍‌ ସମୟରେ ଋଣ ପରିଶୋଧ କରିବେ, ସେମାନଙ୍କୁ UPI- ରୁପେ କ୍ରେଡିଟ କାର୍ଡ ମଧ୍ୟ ମିଳିବ । ଯାହାଦ୍ୱାରା ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ସେମାନଙ୍କୁ ସାହାଯ୍ୟ ମିଳିବ । ଏହା ବ୍ୟତୀତ ଛୋଟ ବ୍ୟବସାୟ ଆରମ୍ଭ କରୁଥିବା ହିତାଧିକାରୀଙ୍କୁ ଡିଜିଟାଲ ପେମେଣ୍ଟ ପାଇଁ ଉତ୍ସାହିତ କରିବା ପାଇଁ ୧,୬୦୦ ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ କ୍ୟାସବ୍ୟାକ ମଧ୍ୟ ମିଳିବ ।