କନକ ବ୍ୟୁରୋ: ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟ୍ଘାଟ୍ ହେବାକୁ ଯାଉଛି । ଆସନ୍ତା ମାସରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA)ର ଅଧିବେଶନ ଅବସରରେ ଏହି ସାକ୍ଷାତକାର ହୋଇପାରେ । ଯଦିଓ ଏହି ବୈଠକ ନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ, ତେବେ କୂଟନୈତିକ ସ୍ତରରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ UNGAର ଉଚ୍ଚସ୍ତରୀୟ ସାଧାରଣ ବିତର୍କ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ୍ ସେପ୍ଟେମ୍ବର ୨୩ରେ ସମ୍ବୋଧିତ କରିବେ, ଯେତେବେଳେ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ ସେପ୍ଟେମ୍ବର ୨୬ରେ ରହିଛି । ଏହି ଗସ୍ତ ସମୟରେ ଉଭୟ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଯାହାର ମୁଖ୍ୟ ପ୍ରସଙ୍ଗ ହେବ ବାଣିଜ୍ୟିକ ଟାରିଫ୍ ।
ନିକଟରେ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଟାରିଫ୍ ବୋଝ ବଢ଼ାଇ ଦେଇଛି । ଋଷରୁ ତେଲ ଆମଦାନୀ କରୁଥିବାରୁ ଆମେରିକା ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଛି । ଯାହା ଫଳରେ ମୋଟ ଶୁଳ୍କ ୫୦%ରେ ପହଞ୍ଚିଛି । ଏହା ପୂର୍ବରୁ ମଧ୍ୟ ଆମେରିକା ୨୫% ଶୁଳ୍କ ଲଗାଇଥିଲା । ଆମେରିକାର ଏହି ପଦକ୍ଷେପକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ "ଅଯୌକ୍ତିକ" ବୋଲି କହିଛି ଏବଂ ନିଜର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରିଛି ।
ଟ୍ରମ୍ପଙ୍କ "ମେକ୍ ଇନ୍ ଆମେରିକା" ନୀତି ଏବଂ ଭାରତର "ମେକ୍ ଇନ୍ ଇଣ୍ଡିଆ" ମଧ୍ୟରେ ଏକ ପ୍ରକାରର ବାଣିଜ୍ୟିକ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି । ଆମେରିକା ଚାହୁଁଛି ଯେ ଭାରତ କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରରେ ଆମେରିକୀୟ କମ୍ପାନୀଗୁଡ଼ିକୁ ଅଧିକ ପ୍ରବେଶ ସୁଯୋଗ ଦେଉ, ଯାହାକୁ ଭାରତ ବିରୋଧ କରୁଛି । ଏହିସବୁ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି । କୂଟନୈତିକ ବିଶେଷଜ୍ଞଙ୍କ ମତରେ, ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଦ୍ୱାରା ଏହି ବାଣିଜ୍ୟିକ ତିକ୍ତତା ହ୍ରାସ ପାଇପାରେ । ଚଳିତ ବର୍ଷ ଫେବୃଆରୀ ମାସରେ ମୋଦୀଙ୍କ ହ୍ଵାଇଟ୍ ହାଉସ୍ ଗସ୍ତ ସମୟରେ ୨୦୨୫ ସୁଦ୍ଧା ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିବାକୁ ଉଭୟ ନେତା ସହମତି ପ୍ରକାଶ କରିଥିଲେ । UNGA ବୈଠକ ଅବସରରେ ହେବାକୁ ଥିବା ସମ୍ଭାବ୍ୟ ସାକ୍ଷାତକାର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଆମେରିକା ଗସ୍ତକୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । କାରଣ ଏହା କେବଳ ଭାରତ-ଆମେରିକା ସମ୍ପର୍କ ନୁହେଁ ବରଂ ବୈଶ୍ୱିକ ବାଣିଜ୍ୟ ଏବଂ କୂଟନୀତି ଉପରେ ମଧ୍ୟ ଏହାର ପ୍ରଭାବ ପକାଇବ ।