‘ଅପରେସନ ସିନ୍ଦୂର’ ଗୋଟିଏ ନାଁ ନୁହେଁ,  ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା

ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍‌ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି ।

Modi-1

କନକ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପହଲଗାମ କାଣ୍ଡ ପରେ ପ୍ରଥମ ପ୍ରତିକ୍ରିୟା ଦେଇ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି । କହିଛନ୍ତି ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । 

ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍‌ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀମାନେ ଯେଉଁ ବର୍ବରତା ଦେଖାଇଥିଲେ, ତାହା ବିଶ୍ୱକୁ ଦୋହଲାଇ ଦେଇଥିଲା । ନିର୍ଦ୍ଦୋଷଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ । ଏହି ହତ୍ୟାକାଣ୍ଡ ଆତଙ୍କବାଦର ବୀଭତ୍ସ ଚେହେରା ଥିଲା । ଦେଶ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀ, ପ୍ରତ୍ୟେକ ବର୍ଗ ଓ ରାଜନୈତିକ ଦଳ ଏକସ୍ୱରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଠିଆ ହୋଇଛନ୍ତି । ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ଭାରତୀୟ ସେନାର ହାତ ଖୋଲି ଦେଇଛୁ । ଆଜି ପ୍ରତ୍ୟେକ  ଆତଙ୍କୀ ସଂଗଠନ ଜାଣିଲା, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କଣ । ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ, ଏହା କୋଟିକୋଟି ଦେଶବାସୀଙ୍କ ଭାବନାର ପ୍ରତିବିମ୍ବ । ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ମେ ୬ ତାରିଖ ରାତି ଓ ମେ ୭ ସକାଳୁ ଏହି ପ୍ରତିଜ୍ଞା ପରିମାଣର ରୂପ ନେଉଥିବା ଦେଖିଥିଲା ସାରା ବିଶ୍ୱ । ଯବାନମାନେ ଆତୀଙ୍କ ଟ୍ରେନିଂ ସେଣ୍ଟର ଉପରେ ପ୍ରହାର କରିଥିଲେ । ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆତଙ୍କୀମାନେ ସ୍ୱପ୍ନରେ ବି ଭାବିନଥିଲେ । କିନ୍ତୁ ଯେତେବେଳେ ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ପରିଣାମ ଦେଖାଇବାକୁ ପଡ଼େ ।“ 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଯେତେବେଳେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ଓ ଡ୍ରୋନ୍‌ ହମ୍‌ଲା କରିଥିଲା, ସେତେବେଳେ ସେମାନଙ୍କ ଧୈର୍ଯ୍ୟ ବି ଥରହର ହୋଇ ଉଠିଥିଲା । ବହାବଲପୁର ଓ ମୁରିଦିକେ ଆତଙ୍କୀଙ୍କ ଗ୍ଲୋବାଲ ୟୁନିଭର୍ସିଟି । ଦଶକଦଶକ ଧରି ଆତଙ୍କୀ ସମ୍ପର୍କ ଏହି ଠିକଣା ସହ ଯୋଡ଼ି ହୋଇ ରହିଥିଲା । ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍‌ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମାରେ ଆଟାକ୍‌ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍‌ ନଷ୍ଟ କରିଛି ଭାରତ । ଏହା କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ମେ ୧୦ରେ ଆମ ଡିଜିଏମ୍‌ଓ ସହ କଥା ହୋଇଥିଲେ ପାକିସ୍ତାନ ଡିଜିଏମ୍‌ଓ । ପାକିସ୍ତାନ ଗୁହାରି କରିଥିଲା ଯେ, ତାଙ୍କ ପଟୁ ଆଗକୁ କୌଣସି ଆତଙ୍କୀ ଗତିବିଧି କିମ୍ବା ସୈନ୍ୟ ଦୁଃସାହାସ କରାଯିବ ନାହିଁ । ଏହାପରେ ଯୁଦ୍ଧ ବିରତି ହୋଇଥିଲା । କିନ୍ତୁ ଏବେ କେବଳ ଅପରେସନ ସିନ୍ଦୂରକୁ ସ୍ଥଗିତ କରାଯାଇଛି ।“

ଆଗାମୀ ଦିନରେ ପାକିସ୍ତାନ ଏଭଳି କୌଣସି କାଣ୍ଡ ଘଟାଇଲେ ପରିଣାମ ଭୋଗିବ । ଭାରତୀୟ ସେନା ଲଗାତାର ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍‌ ପରେ ଅପରେସନ ସିନ୍ଦୂର ହିଁ ଭାରତର ନୀତି । ଆତଙ୍କୀଙ୍କ ବିରୋଧରେ ଭାରତ ଏକ ନୂଆ ଲକ୍ଷ୍ମଣ ରେଖା ଟାଣିଛି । ଆତଙ୍କୀ ହମ୍‌ଲା ହେଲେ ମୁହଁତୋଡ଼ ଜବାବ ମିଳିବ । ନିଜ ସର୍ତ୍ତରେ ଜବାବ ଦିଆଯିବ, ଯେଉଁଠି ଆତଙ୍କୀଙ୍କ ଜଡ଼ ରହିଛି ସେଇଠି ଆକ୍ରମଣ ହେବ । ନ୍ୟୁକ୍ଲିୟର ଧମକ ଭାରତ ସହିବନି । ଭାରତ ବି ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ । ଆତଙ୍କୀ ସରକାର ଓ ଆତଙ୍କୀ ନେତାଙ୍କୁ ଅଲଗା ଅଲଗା ଦେଖାଯିବ ନାହିଁ । ପାକିସ୍ତାନ ଘୃଣ୍ୟ ସତ୍ୟ ସାରା ବିଶ୍ୱ ଦେଖିଛି । ଆତଙ୍କୀଙ୍କ ଶେଷକୃତ୍ୟ ବେଳେ ପାକିସ୍ତାନ ସେନା ଅଫିସର ଯୋଗ ଦେଇଥିଲେ । ପାହାଡ଼ ଉପରେ ପରାକ୍ରମ ଦେଖାଇଛନ୍ତି ଆମ ଯବାନ । ଏହି ଅପରେସନ ପରେ ଆମର ମେଡ୍ ଇନ୍‌ ଇଣ୍ଡିଆ ଅସ୍ତ୍ରର ପରାକ୍ରମ ଦେଖିଲା ସାରା ବିଶ୍ୱ । ସବୁ ପ୍ରକାର ଆତଙ୍କବାଦୀ କାର୍ଯ୍ୟାକଳାପ ବିରୋଧରେ ଆମର ଏକତା ହେବା ହିଁ ଆମର ଶକ୍ତି ।  

ଏହି ଯୁଗ ଯୁଦ୍ଧର ନୁହେଁ, ହେଲେ ଏହି ଯୁଗ ଆତଙ୍କବାଦର ବି ନୁହେଁ । ଆତଙ୍କୀ ବିରୋଧରେ ଜିରୋ ଟଲେରାନ୍ସ ନୀତି ରହିବ । ପାକିସ୍ତାନକୁ ବଞ୍ଚିବାକୁ ହେଲେ, ନିଜ ଆତଙ୍କୀ ଭିତ୍ତିଭୂମି ହଟାଇବାକୁ ହେବ । ଟେରର୍‌ ଓ ଟକ୍‌ ଏକା ସାଥିରେ ହୋଇପାରିବନି । ଟେରର୍‌ ଓ ବ୍ୟବସାୟ ହୋଇପାରିବନି । ପାଣି ଓ ରକ୍ତ ବି ଏକା ସାଥିରେ ବହିପାରିବ ନାହିଁ । ମୁଁ ଆଜି ବିଶ୍ୱ ସମୁଦାୟକୁ ବି କହୁଛି, ପାକିସ୍ତାନ ସହ ଆଲୋଚନା ହେଲେ ଆତଙ୍କୀ ଉପରେ ହିଁ ହେବ । ପାକ୍‌ ଅଧିକୃତ କାଶ୍ମୀର ଉପରେ ହିଁ ଆଲୋଚନା ହେବ । 

ଶାନ୍ତିର ମାର୍ଗ ବି ଶକ୍ତିରୁ ଆରମ୍ଭ ହୁଏ । ପ୍ରତିଟି ଭାରତୀୟ ଶାନ୍ତିରେ ବଞ୍ଚିବେ, ବିକଶିତ ଭାରତ ପାଇଁ ଏହି ଶକ୍ତିର ଆବଶ୍ୟକତା ରହିଛି । ବିଗତ ଦିନରେ ଭାରତ ତାହା ହିଁ କରିଛି । ଭାରତୀୟ ସେନାକୁ ସାଲ୍ୟୁଟ୍ କରୁଛି ଦେଶ । ପ୍ରତ୍ୟେକ ଭାରତବାସୀଙ୍କ ସଂକଳ୍ପକୁ ମୁଁ ପ୍ରଣାମ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe