କନକ ବ୍ୟୁରୋ: ପାକସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ଏହା କେବଳ ଏକ ସେନା ଅଭିଯାନ ନୁହେଁ ବରଂ ସିନ୍ଦୂରକୁ ନ୍ୟାୟ ଦେବାକୁ ଏକ ଅଖଣ୍ଡ ପ୍ରତିଜ୍ଞା।
ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ମୋଦୀ କହିଛନ୍ତି, ଆଜି ପ୍ରତି ଆତଙ୍କୀ ଓ ଆତଙ୍କୀ ସଙ୍ଗଠନ ଜାଣିସାରିଛି ଯେ, ଆମ ମା’ ଭଉଣୀଙ୍କ ମଥାର ସିନ୍ଦୂର ସହ ଖେଳିବାର ପରିଣତି କ’ଣ ହୋଇପାରେ । ଦେଶର ୩ ସେନାକୁ ପ୍ରଶଂସା କରି କହିଲେ, ’ସାରା ଦୁନିଆ ଦେଖିସାରିଛି କିପରି ଭାରତ ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେଇଛି । ପାକିସ୍ତାନ କରିଥିବା ପ୍ରତିଟି ଡ୍ରୋନ ଭାରତର ଏୟାର ଡିଫେନ୍ସରେ ଛିନଛତର ହୋଇଯାଇଥିଲା।
ମୋଦୀଙ୍କ ଏହି ସମ୍ବୋଧନ ଉପରେ ଥିଲା ସାରା ବିଶ୍ବର ନଜର । ଅଧିକାଂଶ ଅନ୍ତର୍ଜାତୀୟ ମିଡିଆରେ ଏନେଇ ଚର୍ଚ୍ଚା ହେଉଛି । ମୋଦୀ ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନାହାନ୍ତି । ଏଥିରୁ ପରୋକ୍ଷ ଭାବେ ସ୍ପଷ୍ଟ ହୋଇଛି ଯେ ଭାରତ , ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା. କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନା କହିଛନ୍ତି ମୋଦୀ । ମୋଦୀ କହିଛନ୍ତି ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ ।
ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ’ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ଶାନ୍ତି ବାର୍ତ୍ତା ପ୍ରସଙ୍ଗକୁ ଖାରଜ କରିଛନ୍ତି । କହିଛନ୍ତି, ଆଲୋଚନା ଓ ଆତଙ୍କବାଦ ଏକାସଙ୍ଗେ ହୋଇପାରିବ ନାହିଁ । ବ୍ୟାପାର ଓ ଆତଙ୍କବାଦୀ ଏକାସଙ୍ଗେ ଚାଲିବ ନାହିଁ । ସେହିପରି ପାଣି ଓ ରକ୍ତ ବି ଏକାସାଙ୍ଗେ ବହିପାରିବ ନାହିଁ’ । ଖାଲି ଏତିକି ନୁହେଁ ଭବିଷ୍ୟତରେ ଯଦି ପାକିସ୍ତାନ କିଛି ଉସୁକାଇବା ଭଳି କାମ କରେ ଭାରତ ବି ନିଜ ସର୍ତ୍ତ ଉପରେ କଠୋର ଜବାବ ଦେବ । ଭାରତ କେବେବି ପାକିସ୍ତାନର ପରମାଣୁ ବ୍ଲାକମେଲକୁ ସହିବ ନାହିଁ ’।