କନକ ବ୍ୟୁରୋ: ଏବେ ମାଲି ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିଟେନ୍‌ ସହ FTA ଚୁକ୍ତି ସ୍ୱାକ୍ଷର କରିବା ସହ ସେଠାରେ ବ୍ରିଟେନ୍ ରାଜା ଚାର୍ଲସ୍ ତୃତୀୟଙ୍କ ଭେଟିଥିଲେ । ଏହାପରେ ଆଜି ମାଲି ଗସ୍ତ କରିଛନ୍ତି । ବିଭିନ୍ନ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବୈଦେଶିକ ନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ସବୁ ଗସ୍ତ କରିଥାଆନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଏଭଳି ଗସ୍ତ ଯୋଗୁଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଯାଇଥାଏ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଦୀଙ୍କ ବିଦେଶ ଗସ୍ତ ପାଇଁ ୬୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । ସେହିଭଳି ଗତ ୨୦୨୧ରୁ ବର୍ତ୍ତମାନ ସୁଦ୍ଧା ମୋଦୀଙ୍କ ବିଦେଶ ଗସ୍ତ ପାଇଁ ୩୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଛି । ଏହାକୁ ନେଇ ଚଳିତ ମୌସୁମୀ ଅଧିବେଶନରେ ସଂସଦରେ ତଥ୍ୟ ଉପସ୍ଥାପନ କରିଛି ବୈଦେଶିକ ମନ୍ତ୍ରାଳୟ ।  

Advertisment

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ, ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ'ବ୍ରାଏନଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପ୍ରଦାନ କରିଛନ୍ତି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, କେବଳ ୨୦୨୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ ୫ଟି ଦେଶ ଗସ୍ତରେ ୬୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରେ ଆମେରିକା ଏବଂ ଫ୍ରାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସାମିଲ ରହିଛି । ୨୦୨୫ରେ ସବୁଠାରୁ ବ୍ୟୟବହୁଳ ଗସ୍ତ ଥିଲା ଫ୍ରାନ୍ସ, ଯେଉଁଥିରେ ୨୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପଛକୁ ମୋଦୀଙ୍କ ଆମେରିକା ଗସ୍ତରେ ୧୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ତେବେ, ମରିସସ୍, ସାଇପ୍ରସ୍ ଏବଂ କାନାଡା ଭଳି ଦେଶକୁ ଗସ୍ତର ସମ୍ପୂର୍ଣ୍ଣ ଖର୍ଚ୍ଚ ବିବରଣୀ ଏପର୍ଯ୍ୟନ୍ତ ମିଳିନାହିଁ ।  
ବାର୍ଷିକ ବିଦେଶ ଗସ୍ତର ଖର୍ଚ୍ଚ ବିବରଣୀ:
୨୦୨୪: ୧୬ଟି ଦେଶ ଗସ୍ତ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା 
୨୦୨୩: ଏହି ବର୍ଷ ପ୍ରାୟ ୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା 
୨୦୨୨: ବିଦେଶ ଗସ୍ତ ପାଇଁ ୫୫.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା 
୨୦୨୧: ଏହି ବର୍ଷ ଖର୍ଚ୍ଚ ପରିମାଣ ଥିଲା ୩୬ କୋଟି ଟଙ୍କା 
୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ୬ଟି ଗସ୍ତ କରି ୧୧ଟି ଦେଶକୁ ଯାଇଥିଲେ, ଯେଉଁଥିପାଇଁ ମୋଟ ୯୩.୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହି ବର୍ଷ ଜାପାନ ଗସ୍ତରେ ୧୭.୧ କୋଟି, ଆମେରିକା ଗସ୍ତରେ ୨୨.୮ କୋଟି ଏବଂ ଫ୍ରାନ୍ସ ଗସ୍ତରେ ୧୩.୭୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । 
୨୦୨୧ ଏବଂ ୨୦୨୨ ମସିହାରେ ପ୍ରଧାନମନ୍ତ୍ରୀ ୧୦ଟି ଗସ୍ତରେ ୧୪ଟି ଦେଶ ଭ୍ରମଣ କରିଥିଲେ, ଯାହାର ମିଳିତ ଖର୍ଚ୍ଚ ୯୦ କୋଟିରୁ ଅଧିକ ଥିଲା ।  ୨୦୨୧ରେ ବାଂଲାଦେଶ, ଆମେରିକା, ଇଟାଲି ଏବଂ ବ୍ରିଟେନ ଗସ୍ତ ହୋଇଥିବାବେଳେ, କେବଳ ଆମେରିକା ଗସ୍ତରେ ୧୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ୨୦୨୨ରେ ଜର୍ମାନୀ ଏବଂ ଜାପାନ ଗସ୍ତରେ ଯଥାକ୍ରମେ ୯ କୋଟି ଏବଂ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । 

ଏହି ଗସ୍ତଗୁଡ଼ିକ ସମୟରେ ହୋଇଥିବା ଜନସମ୍ପର୍କ, ବିଜ୍ଞାପନ ଏବଂ ପ୍ରସାରଣ ଖର୍ଚ୍ଚର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି । ଉଦାହରଣ ସ୍ୱରୂପ, ୨୦୨୩ରେ ମିଶର ଗସ୍ତ ସମୟରେ ବିଜ୍ଞାପନ ବାବଦରେ ୧୧.୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିରେ ଅନ୍ତର୍ଜାତୀୟ ଯାତ୍ରା ଏକ ମୁଖ୍ୟ ଅଙ୍ଗ ହୋଇଥିବାବେଳେ, ଏହାର ଆର୍ଥିକ ଦିଗ ସରକାରୀ ଏବଂ ସାଧାରଣ ସ୍ତରରେ ଆଲୋଚନା ଓ ସମୀକ୍ଷାର ବିଷୟ ପାଲଟିଛି ।