କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟ ଗସ୍ତ କରିଥିଲେ । ଭାବନଗରରେ ଆୟୋଜିତ ସମୁଦ୍ରରୁ ସମୃଦ୍ଧି ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୋଦୀ । ଏହା ପୂର୍ବରୁ ସେ ରୋଡ୍ ସୋ କରିଥିଲେ। ମୋଦୀ କହିଛନ୍ତି, ବିଦେଶ ଉପରେ ଭାରତ ଯେତେ ନିର୍ଭର କରିବ, ସେତେ ବିଫଳ ହେବ। ଅନ୍ୟ ଉପରେ ନିର୍ଭର କରିବା ହିଁ ପ୍ରକୃତ ବଡ଼ଶତ୍ରୁ । ଏହାକୁ ପରାଜିତ କରି ସମୃଦ୍ଧି, ବିଶ୍ବଶାନ୍ତି ଓ ସ୍ଥିରତା ପାଇଁ ଭାରତକୁ ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ପାଇଁ ପଡ଼ିବ । ଭାରତ ଉପରେ ଆମେରିକା ବିଭିନ୍ନ କଟକଣା ଲଗାଇଥିବା ବେଳେ ମୋଦୀଙ୍କ ଏହି ଆହ୍ବାନ ବେଶ୍ ଗୁରୁତ୍ବ ରଖୁଛି ।
ଗତ ମାସରେ ଭାରତର ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲେ। ଏବେ ଡୋନାଲ୍ଟ ଟ୍ରମ୍ପ ଭିସା କଟକଣା ଜାରି କରିଛନ୍ତି। ଏଚ୍-ୱାନ୍ ବି ଭିସା ନିୟମ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତିତ ନିୟମ ଅନୁସାରେ, ଏଥିପାଇଁ ସେମାନଙ୍କୁ ନୂତନ ଆବେଦନ ସହିତ ୧ ଲକ୍ଷ ଡଲାର କିମ୍ବା ଭାରତୀୟ ମୁଦ୍ରାରେ ୮୮ଲକ୍ଷ ଟଙ୍କାରୁ ଅଧିକ ଫି’ ଦେବାକୁ ପଡ଼ିବ । ଗୁଜରାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୪ ହଜାର ୨୦୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି। ସେଠାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦୀ କୋଲକାତା, ମୁମ୍ୱାଇ, ପାରାଦୀପ ବନ୍ଦରର ବିଭିନ୍ନ ପ୍ରକଳ୍ପ ସମେତ ଦେଶର ବିଭନ୍ନ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଥିଲେ । ଶହେ ରୋଗ ପାଇଁ ଗୋଟିଏ ଔଷଧ ‘ଆତ୍ମନିର୍ଭର’ ବୋଲି କହିଥିଲେ ମୋଦୀ ।