କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମ୍ବୋଧନ ଉପରେ ଥିଲା ସାରା ବିଶ୍ବର ନଜର । କାରଣ ମୋଦୀ ଏଭଳି କିଛି କହିଲେ ଯାହା ପାକିସ୍ତାନକୁ ପରୋକ୍ଷରେ ଚରମବାଣୀ ବୋଲି କୁହାଯାଉଛି । ମୋଦୀ କହିଛନ୍ତି, ’ ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ
ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ । ଆଲୋଚନା ଓ ଆତଙ୍କବାଦ ଏକାସଙ୍ଗେ ହୋଇପାରିବ ନାହିଁ । ବ୍ୟାପାର ଓ ଆତଙ୍କବାଦୀ ଏକାସଙ୍ଗେ ଚାଲିବ ନାହିଁ । ସେହିପରି ପାଣି ଓ ରକ୍ତ ବି ଏକାସାଙ୍ଗେ ବହିପାରିବ ନାହିଁ’ । ଖାଲି ଏତିକି ନୁହେଁ ଭବିଷ୍ୟତରେ ଯଦି ପାକିସ୍ତାନ କିଛି ଉସୁକାଇବା ଭଳି କାମ କରେ ଭାରତ ବି ନିଜ ସର୍ତ୍ତ ଉପରେ କଠୋର ଜବାବ ଦେବ । ଭାରତ କେବେବି ପାକିସ୍ତାନର ପରମାଣୁ ବ୍ଲାକମେଲକୁ ସହିବ ନାହିଁ ’।
ପହଲଗାମ୍ ଆକ୍ରମଣକୁ ନେଇ ଭାରତ -ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । କ୍ରମେ ଏହା ଯୁଦ୍ଧ ଭଳି ଆକ୍ରମଣ – ପ୍ରତିଆକ୍ରମଣର ରୂପ ନେଇଥିଲା । ଭାରତ ସୀମାରେ ପାକିସ୍ତାନ ସେନା କ୍ରମାଗତ ଭାବେ ଗୁଳିମାଡ କରିବା ସହ ଡ୍ରୋନ ଆକ୍ରମଣ କରିଥିଲା। ପ୍ରତି ଡ୍ରୋନକୁ ଏୟାର ଡିଫେନ୍ସ ଦ୍ବାରା ଖସାଇପକାଇଥିଲା ଭାରତ । ଖାଲି ଏତିକି ନୁହେଁ ଅମାନିଆ ପାକିସ୍ତାନର ଫାଇଟର ଜେଟ୍ ଭାରତ ସୀମା ଡେଇଁ ଅନୁପ୍ରବେଶ କରିଥିବାବେଳେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଭଗାଇଦେଇଥିଲା।