କନକ ବ୍ୟୁରୋ: ପୁଣି ୨୭ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ବ୍ରହ୍ମପୁରରେ ଆୟୋଜିତ ଯୁବସମାବେଶରେ ଯୋଗଦେବେ ନରେନ୍ଦ୍ର ମୋଦୀ । ତେଣୁ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ  ଏହି ମାସରେ ବହୁତ କିଛି ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । 

Advertisment

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୭ ତାରିଖରେ  ଏକ ଜନସମାବେଶରେ ସାମିଲ ହେବେ  । ୧୭ ତାରିଖରେ ମୋଦିଙ୍କ ଜନ୍ମଦିନଠାରୁ ଆରମ୍ଭ କରି ୨ ତାରିଖ ଗାନ୍ଧି ଜୟନ୍ତୀ ଯାଏଁ ସେବାପକ୍ଷ ପାଳନ ହେବ । ସେ ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ।  ଖୁବଶୀଘ୍ର ଏ ନେଇ କାର୍ଯ୍ୟକ୍ରମ ସ୍ଥିର ହେବ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  ୧୫ ମାସର ସରକାରରେ ପ୍ରଧାନମନ୍ତ୍ରୀ ୬ ଥର ଓଡିଶା ଆସିସାରିଛନ୍ତି । 

୨୦୨୪ ଜୁନ ୧୨ ସରକାରର ଶପଥ ଗ୍ରହଣ, ସେପ୍ଟେମ୍ବର ୧୭ ସୁଭଦ୍ର ଯୋଜନା, ନଭେମ୍ୱର ୨୯ ଆଇଜି-ଡିଜି ସମ୍ମିଳନୀ, ୨୦୨୫ରେ ଜାନୁଆରୀ ୯ ପ୍ରବାସୀ ଭାରତୀୟ ସମ୍ମିଳନୀ, ଜାନୁଆରୀ ୨୮ ଉତ୍କର୍ଷ ଓଡିଶା ଓ  ଜୁନ ୨୦ ସରକାରର ବର୍ଷପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ଓଡିଶା ଆସିସାରିଛନ୍ତି ।  ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ସପ୍ତମ ଗସ୍ତ ହେବ । 

ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସରକାର ଓ ସଙ୍ଗଠନରେ କିଛି ବଡ ନିଷ୍ପତ୍ତି ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର । ରାଜ୍ୟ ବିଜେପି ସଙ୍ଗଠନର ପୁର୍ନବିନ୍ୟାସ, ବୋର୍ଡ ନିଗମ ଗଠନ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରଭାରୀଙ୍କ ବୟାନ ଅନେକ ଗୁରୁତ୍ବ ରଖୁଛି ।