କନକ ବ୍ୟୁରୋ: ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ । ମୁଣ୍ଡ ଗୁଞ୍ଜିବାକୁ ରାହା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଆଜି ଓଡ଼ିଶା ଗସ୍ତରେ ଆସି ନିରାଶ୍ରୟଙ୍କୁ ଆଶ୍ରୟ ଯୋଜନାରେ ଘର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଭୁବନେଶ୍ୱର ଗାଡ଼କଣର ଶବର ସାହିରେ ନବନିର୍ମିତ ଘରକୁ ଭଳିକି ଭଳି ଫୁଲ ଓ ରଙ୍ଗ ତୂଳୀରେ ସଜା ଯାଇଛି । ଭୁବନେଶ୍ୱରରରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧା ଶବର ସାହିରେ ପହଞ୍ଚିବେ ମୋଦୀ। ସେଠାରେ ପହଞ୍ଚିବା ପରେ ନିଜେ ହିତାଧିକାରୀଙ୍କୁ ଗୃହପ୍ରବେଶ କରାଇବେ । ୩୦ ମିନିଟ୍ ଧରି ଗାଡକଣ ଗାଁରେ ରହିବେ ମୋଦୀ । 

Advertisment

୨୦ ଜଣ ହିତାଧିକାରୀଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ । ଏହି କାର୍ୟ୍ୟକ୍ରମରେ ପୂରା ଦେଶର ୨୬ ଲକ୍ଷ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବେ ପ୍ରଧାନମନ୍ତ୍ରୀ । ଏଥିସହ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପିଏମୱାଇ-ଜିର ପ୍ରଥମ କିସ୍ତି । ଅତିରିକ୍ତ ପରିବାରର ସର୍ଭେ ପାଇଁ ଆବାସ ୨୦୨୪ ଆପର ମଧ୍ୟ ଉନ୍ମୋଚନ ହେବ । ଗାଡ଼କଣରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ  ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ଜନତା ମୈଦାନ । ଆଜି ଜନତା ମୈଦାନରେ ହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ । ଜନ୍ମଦିନ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିବେ ନିଜେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଜନତା ମୈଦାନକୁ ସୁନ୍ଦର ଭାବେ ସଜା ଯାଇଛି । ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ୪ଟି ସେଡର ବ୍ୟବସ୍ଥା ହୋଇଛି । ନେତା, ମନ୍ତ୍ରୀ ଓ ଅତିଥିଙ୍କ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ସଭା ସ୍ଥଳରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି । ଖାଦ୍ୟ, ପାନୀୟ, ଶୌଚାଳୟର ବ୍ୟବସ୍ଥା ହୋଇଛି । ଆଜି ଜନତା ମୈଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ପ୍ରବେଶ କରିବ । ଏଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ସାଧାରଣ ଦର୍ଶକ, ହିତାଧିକାରୀ ଓ ଅତିଥି ଗାନ୍ଧୀ ପାର୍କ ସମ୍ମୁଖ ରାସ୍ତା ଦେଇ ପ୍ରବେଶ ସଭାସ୍ଥଳକୁ ପ୍ରବେଶ କରିବେ ।