କନକ ବ୍ୟୁରୋ: ଆସନ୍ତା ୨୦ ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୧୨ ତାରିଖ ବଦଳରେ ୨୦ରେ ଆସୁଛନ୍ତି ମୋଦୀ । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।
ବର୍ଷ ପୂର୍ତ୍ତିକୁ ଉତ୍ସବ ଭାବେ ନୁହେଁ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ପାଳନ କରିବେ ରାଜ୍ୟ ସରକାର । ଏହି ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାର ପାଖରେ ପହଞ୍ଚିବେ ସରକାର । ଜୁନ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ରାଜ୍ୟ, ଜିଲ୍ଲାଠୁ ନେଇ ବ୍ଲକ ଓ ପଞ୍ଚାୟତ ପୌର ସଂସ୍ଥା ଗୁଡ଼ିକରେ କାର୍ଯ୍ୟକ୍ରମ କରାଯିବ । ବର୍ଷକ ମଧ୍ୟରେ ୧୧ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛୁ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।
୨୪ ନିର୍ବାଚନ ବେଳେ ୨୧ଟି ପ୍ରତିଶ୍ରୁତି ଦିଆଯାଇଥିଲା । ସରକାରକୁ ଆସିବା ପରେ ସେଥି ମଧ୍ୟରୁ ୧୧ ଟି ପ୍ରତିଶ୍ରୁତି ପାଳନ କରାଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆହୁରି କହିଛନ୍ତି ଆଗାମୀ ଏକ ବର୍ଷ ମଧ୍ୟରେ ଆଉ ୧୦ ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରାଯିବ ।
କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ । ରାଜ୍ୟରେ ବିଜେପି ସରକାରର ୧ ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପିର ଯୋଜନା । ବୁମଜଥ୍, ମଣ୍ଡଳ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କମିଟି ବର୍ଷ ପୂର୍ତ୍ତି ପାଳନ ପାଇଁ ଗଠନ ହୋଇଛି କମିଟି । ଜୁନ୍ ୯ ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ଜନ ସାଧାରଣଙ୍କ ପାଖକୁ ଯିବ ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେପି କର୍ମକର୍ତ୍ତା । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ ।