କନକ ବ୍ୟୁରୋ:  ସାରା ବିଶ୍ବକୁ ସ୍ତବ୍ଧ କରିଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ କେବଳ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ଯାଇଛି ତାହା ନୁହେଁ । ଯେଉଁ ମେଡିକାଲ ଛାତ୍ରାବାସ ଉପରେ ବିମାନ ମାଡ଼ ହୋଇଥିଲା, ସେହି ଛାତ୍ରାବାସର କିଛି ଛାତ୍ର ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କର ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ଗତକାଲି ଅପରାହ୍ଣରେ ବିମାନ ଉଡ଼ାଣ ଭରିବାର ମାତ୍ର ଦୁଇ ମିନିଟ୍ ମଧ୍ୟରେ ଏହା ଦୁର୍ଘଟଣାଗସ୍ତ ହୋଇଥିଲା । ଆଜି ବି ଘଟଣାସ୍ଥଳରେ ଦୁର୍ଘଟଣାର ଭୟାବହତା ଦେଖିବାକୁ ମିଳିଛି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ବି ଭେଟିଛନ୍ତି । ସ୍ଥିତି ପରଖିବା ପରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

Advertisment

ଦୁର୍ଘଟଣାସ୍ଥଳରେ ଏନଏସଜି ଟିମ୍‌ ଓ ଫରେନସିକ୍‌ ଟିମ୍‌ ମଧ୍ୟ ପହଞ୍ଚି କାରଣ ଖୋଜିବାକୁ ତଦନ୍ତ କରୁଛନ୍ତି । ବ୍ଲାକ ବକ୍ସରୁ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି । ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି । ସେପଟେ ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଅହମଦାବାଦ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚିଛନ୍ତି ଏନଏସଜି ଟିମ୍ । ଘଟଣାର ତଦନ୍ତ ଆରମ୍ଭ କରିଛି ଏହି ଟିମ୍ । ସେହିପରି ଫରେନସିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।