କନକ ବ୍ୟୁରୋ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଣିପୁର ଗସ୍ତ । ପ୍ରଧାନମନ୍ତ୍ରୀ ପ୍ରାୟ ଚାରି ଘଣ୍ଟା ମଣିପୁରରେ ରହିବେ । କୁକି ଅଧ୍ୟୁଷିତ ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ଗସ୍ତ ଆରମ୍ଭ କରିଛନ୍ତି । ଶାନ୍ତି ମଇଦାନରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମଣିପୁରର ବିକାଶ ପାଇଁ ଶାନ୍ତି ଜରୁରୀ । ମଣିପୁର ଲୋକ ଏବେ ଶାନ୍ତିର ରାସ୍ତା ବାଛିଛନ୍ତି। ଶାନ୍ତି ସ୍ଥାପନା ପାଇଁ କାମ କରାଯାଉଛି । ଶାନ୍ତି ରାସ୍ତାରେ ଆଗକୁ ବଢି ଭବିଷ୍ୟତ ଗଢିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୫ ଶହରୁ ଅଧିକ ଗାଁରେ ଚାଲିଛି ବିକାଶ କାମ । ଗାଁଲୋକଙ୍କ ବିଜୁଳି ସମସ୍ୟା ଦୂର ହୋଇଛି । ଏହା ପରେ ହିଂସା ପୀଡ଼ିତ ପରିବାର ଲୋକଙ୍କୁ ଭେଡିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ଦୁଃଖ ଶୁଣିବା ସହ ସମବେଦନା ଜଣାଇଛନ୍ତି ମୋଦୀ ।
ମଣିପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ୭ ହଜାର ୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଗସ୍ତରେ ବାହାରିବେ । ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍ ମଣିପୁର ୟୁନାଇଟେଡ କ୍ଲବ୍ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି । ୨୦୨୩ ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ । ଚଳିତ ବର୍ଷ ଫେବ୍ରୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫା ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହିଂସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।