କନକ ବ୍ୟୁରୋ: ଦୁଇ ଦିନିଆ ପୋଲାଣ୍ଡ ଗସ୍ତ ସାରି ଆଜି ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଷ୍-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ।
ପୋଲାଣ୍ଡରୁ ଟ୍ରେନ୍ ଯୋଗେ ୟୁକ୍ରେନର ରାଜଧାନୀ କିଭରେ ପହଁଚିବେ ମୋଦୀ । ମୋଦୀ ଯିବାକୁ ଥିବା ଟ୍ରେନର ନାଁ ରେଲ୍ ଫୋର୍ସ ୱାନ୍ ରଖାଯାଇଛି । ଏହି ଟ୍ରେନରେ ପାଖାପାଖି ୬୦୦ କିଲୋମିଟର ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କିଭରେ ପହଁଚିବାକୁ ଟ୍ରେନରେ ୧୦ ଘଣ୍ଟା ସମୟ ଲାଗିବ ବୋଲି ଜଣାପଡ଼ିଛି । ୟୁକ୍ରେନ ଗସ୍ତ ସାରିବା ପରେ ଏହି ଟ୍ରେନରେ ମଧ୍ୟ ଫେରିବେ ମୋଦୀ । ଏହି ଟ୍ରେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଯେଉଁଥିରେ ବିଳାସପୂର୍ଣ୍ଣ ସୁବିଧା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ଟ୍ରେନର କବାଟ ଓ ଝରକା ବୋମା ଓ ବୁଲେଟ୍ ନିରୋଧି । ଏପରିକି ଯଦି କୌଣସି ଆକ୍ରମଣ ହୁଏ ତେବେ ଏହି ଟ୍ରେନର କୌଣସି କ୍ଷତି ହେବ ନାହିଁ । ଏହାଛଡ଼ା ଟ୍ରେନରେ ଏକ ସୁରକ୍ଷିତ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ରହିଛି ।
ତେବେ ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ ପୂରା ବିଶ୍ୱର ନଜର ରହିଛି । ଗତ ମାସ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ । ହେଲେ ଋଷିଆ ଗସ୍ତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ କିଛି ଦେଶ । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମୋଦିଙ୍କ ମସ୍କୋ ଗସ୍ତକୁ ନାପସନ୍ଦ କରିଥିବା ବେଳେ ଆମେରିକା ମଧ୍ୟ ଆପତ୍ତି ଉଠାଇଥିଲା । ୩୦ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତରେ ଯାଉଛନ୍ତି ।