ଜଳଭାଗରେ ବିଶ୍ବ ପୁଣି ଦେଖିବ ଭାରତର ଶକ୍ତି ; ୩ ବିଧ୍ବଂସକ ଯୁଦ୍ଧ ଜାହାଜ ଲୋକାର୍ପଣ କରିବେ ମୋଦୀ

ଜଳପଥରେ ବିଶ୍ବ ଦେଖିବ ଭାରତର ଶକ୍ତି, ଶତ୍ରୁ ଛାତିରେ ଛନକା ।  ଆଜି ୩ ବିଧ୍ବଂସକ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଆତ୍ମନିଭର୍ର ଭାରତର ବଢିବ ବଳ, ନୌସେନା ହେବ ସୁଦୃଢ ।

warq

କନକ ବ୍ୟୁରୋ : ଜଳପଥରେ ବିଶ୍ବ ଦେଖିବ ଭାରତର ଶକ୍ତି । ଶତ୍ରୁ ଶିବିର ଏବେଠୁ ହେଲାଣି ଥରହର । କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ୩ ବିଧ୍ବଂସକ ଯୁଦ୍ଧପୋତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତ ସମୟରେ ୩ ଯୁଦ୍ଧପୋତ  ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବେ ।  ଆତ୍ମନିର୍ଭର ଭାରତକୁ ଏହା ବଳ ଯୋଗାଇବ। 

ଆଇଏନଏସ ସୁରତ ବିଶ୍ବର ବିଧ୍ବଂସକ ଯୁଦ୍ଧପୋତ ଭିତରୁ ଅନ୍ୟତମ । ଏହାର ୭୫ ପ୍ରତିଶତ ଅଂଶ ଭାରତରେ ନିର୍ମାଣ କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନ୍ସର ଏହି ଯୁଦ୍ଧପୋତକୁ ଆହୁରି ବିଧ୍ବଂସକ କରିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନେଟୱର୍କ ଆଇଏନଏସ ସୁରତକୁ ନେଇ ଶତ୍ରୁ ଶିବିରରେ ଛନକା ଭରିଛି । ୭୪୦୦ ଟନ ବିଶିଷ୍ଟ ଆଇଏନଏସ ସୁରତ ଘଣ୍ଟାପ୍ରତି ୫୬ କିମି ବେଗରେ ସମୁଦ୍ରରେ ଗତି କରିବ । ୫୦ ଅଫିସର ଓ ୨୫୦ ନୌସେନିକଙ୍କୁ ନେଇ ଯାତ୍ରା କରିପାରିବ ଏହି ଯୁଦ୍ଧପୋତ ।। ଥରକରେ ଏହା ୭୫୦୦ କିଲୋମିଟର ପର୍ୟ୍ୟନ୍ତ ସମଦ୍ରରେ ଯାତ୍ରା କରିପାରିବ ।

ସେହିପରି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଓ ବିଧ୍ବଂସକ ଯୁଦ୍ଧପୋତ ଆଇଏନଏସ ନୀଳଗିରି । ଜଳପଥରେ ଏହି ଯୁଦ୍ଧପୋତରୁ ଶତ୍ରୁ ଶିବିର ଉପରକୁ କରିହେବ ବିଧ୍ବଂସୀ ଆକ୍ରମଣ । ୬୬୭୦ ଟନ ବିଶିଷ୍ଟ ଏହି ଯୁଦ୍ଧପୋତ ପି୧୭ଏ ଷ୍ଟେଲ୍ଥ ପ୍ରୋଜେକ୍ଟରେ ନିର୍ମିତ। ବିଶ୍ବର ବିଧ୍ବଂସୀ ମିଜାଇଲକୁ ଏହି ଯୁଦ୍ଧପୋତରୁ ମାଡ କରିହେବ । ଅତ୍ୟାଧୁନିକ ଚେତକ, ସି କିଙ୍ଗ ଓ ଏମଏଚ-୬୦ଆର ହେଲିକପ୍ଟର ଅବତରଣ କରିପାରିବ । ଉଭୟ ଆକାଶମାର୍ଗ ଓ ପାଣି ଭିତରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ । ଭୂପୃଷ୍ଠରୁ ଆକାଶପଥକୁ ମାଡ କରିପାରୁଥିବା ମିସାଇଲ ଏଥିରେ ଖଞ୍ଜା ଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ କରୁଥିବା ବ୍ରହ୍ମୋସ ମିସାଇଲ ଏହି ଯୁଦ୍ଧପୋତରେ ରହିଛି । ଆଣ୍ଟି ସବମେରିନ ରକେଟ ଲଞ୍ଚର୍ସ ଏହି ଯୁଦ୍ଧପୋତକୁ ଘାତକ କରିଛି । ଯାହା ପାକିସ୍ତାନ ଓ ଚୀନର ମୁଣ୍ଡବିନ୍ଧାର କାରଣ ପାଲଟିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe